ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍ ସୂର୍ଯ୍ୟକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରୋଟାରିଆନ୍ ସୁଜାତା ମିଶ୍ର ଆଗେଇ ଆସିବା ସହ ୪୦ଟି ସାମସଙ୍ଗ୍ ଆଇପ୍ୟାଡ୍ ପ୍ରଦାନ କରିଛନ୍ତି । ସେମାନଙ୍କ ତରଫରୁ ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଏନ୍ ନାଗେଶ ଏହି ଆଇପ୍ୟାଡ୍ଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ବଂଟନ କରିଛନ୍ତି ।ଏହି ଅବସରରେ ରୋଟାରିଆନ୍ ଏସ୍ କେ ମିଶ୍ର କହିଛନ୍ତି ଯେ, ଆମେ ଜାଣିଛୁ ଯେ ଏହି ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଏକମାତ୍ର ମାଧ୍ୟମ ହେଉଛି ଅନଲାଇନ୍ ଶିକ୍ଷା । ତେଣୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ନିଷ୍ପତି ନେଇଛୁ । ଆଗାମୀ ବୋର୍ଡ ପରୀକ୍ଷା ଦୃଷ୍ଟିରୁ ସେମାନଙ୍କ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଏହି ପଦକ୍ଷେପ ସେମାନଙ୍କୁ ଉତମ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ରୋଟାରିଆନ୍ ମିଶ୍ର କହିଛନ୍ତି ।
ଉଭୟ ରୋଟାରିଆନ୍ଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍-୧୯ ଲଢେ଼ଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଉଭୟ ରୋଟାରିଆନ୍ ଏସ୍ କେ ମିଶ୍ର ଓ ରୋଟାରିଆନ୍ ସୁଜାତା ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଓ ଦାତବ୍ୟ କାର୍ଯ୍ୟରେ ଉଭୟ ରୋଟାରିଆନ୍ ଜଡ଼ିତ ଅଛନ୍ତି । ରୋଟାରିଆନ୍ ଏସ୍ କେ ମିଶ୍ର ୟୁଏଆଇଏଲ୍ର ଅଧ୍ୟକ୍ଷ ହୋଇଥିବା ବେଳେ ରୋଟାରିଆନ୍ ସୁଜାତା ମିଶ୍ର ହେଉଛନ୍ତି ଇନର ହ୍ୱିଲ୍ ଅଫ୍ ରୋଟାରି କ୍ଲବ୍ ଭୁବନେଶ୍ୱର ମେଟ୍ରୋର ସମ୍ପାଦିକା ।