ଏବେ ପିପିଲିରେ ସମସ୍ତଙ୍କ ନଜର : କିଏ ହେବେ ବିଜେଡି ପ୍ରାର୍ଥି !

ଭୁବନେଶ୍ୱର, ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି । ପିପିଲି ନିର୍ବାଚନମଣ୍ଡଳୀବାସୀ ଖୁବଶୀଘ୍ର ଏକ ଉପନିର୍ବାଚନ ଦେଖିବେ । ତେବେ, ସ୍ୱର୍ଗତ ମହାରଥୀଙ୍କ ପରେ ତାଙ୍କ ପରିବାରରୁ କିଏ ବିଜେଡିର ପ୍ରାର୍ଥୀ ହେବ ନା’ ଅନ୍ୟ କହାକୁ ଦଳୀୟ ଟିକେଟ୍ ମିଳିବ ତାହାକୁ ନେଇ ଏବେ ଅଂଚଳର ରାଜନିତୀ ଉଷ୍ମ ହୋଇଛି । ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ କିନ୍ତୁ ପିପିଲିରେ ଉଷ୍ମତା ଏବେଠୁ ଆରମ୍ଭ ହୋଇଗଲାଣି । ଆଜି ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରାର୍ଥୀତ୍ୱ ନେଇ ଘମାସନ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ଏହି ଅମିମାଂସିତ ବୈଠକରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସର୍ବମାନ୍ୟ ବୋଲି ଘୋଷଣା କରାଯାଇଛି । ଏନେଇ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଉପନିର୍ବାଚନ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲେ ବି ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ତେଣୁ ସ୍ୱର୍ଗତ ମହାରଥୀଙ୍କ ପରିବାରର ଯାହାଙ୍କୁ ବି ଦଳ ଟିକେଟ୍ ଦେବ ତାଙ୍କ ପାଇଁ ପିପିଲି ବିଜେଡି କାମ କରିବ ବୋଲି ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି ।ପ୍ରକାଶଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଫାଙ୍କା ପଡିଛି । ନିୟମ ମୁତାବକ ଆଗାମୀ ୬ ମାସ ଭିତରେ ଏଠାରେ ଉପନିର୍ବାଚନ ହେବ । ତେଣୁ ଯେକୌଣସି ସମୟରେ ଉପନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇପାରେ । କିନ୍ତୁ ଏଯାଏଁ ପିପିଲିର ମଙ୍ଗ କିଏ ଧରିବ ତାହା ସ୍ପଷ୍ଟ ହୋଇ ପାରୁନାହିଁ । ସ୍ୱର୍ଗତ ମହାରଥୀଙ୍କ ପରେ ପିପିଲି ଆସନରୁ ତାଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ଟିକେଟ ମିଳୁ ବୋଲି ଏକ ପ୍ରମୁଖ ଗୋଷ୍ଠୀ ଦାବି କରୁଛନ୍ତି । ୨୦୧୯ ନିର୍ବାଚନ ସମୟରେ ବିଜେଡିର ଅନ୍ତଦ୍ୱର୍ନ୍ଦ୍ୱ ପାଇଁ ବିଜେଡିର ଯୁବଗୋଷ୍ଠୀ ବିଜେପି ମୁହାଁ ହୋଇଥିବାର ଚର୍ଚ୍ଚା ହୋଇଥିଲା । ବିଜେଡିରେ ଯୁବକଙ୍କୁ ନେତୃତ୍ୱ ନେବାର ସୁଯୋଗ ନଥିବା ଅଭିଯୋଗ ଆଣି ଯୁବଗୋଷ୍ଠୀ ବିଜେପିକୁ ଭୋଟ ଦେଇଥିବା ବି କୁହାଗଲା । ଯେଉଁଥିପାଇଁ ପ୍ରଦୀପ ମହାରଥୀ ମାତ୍ର ୧୫ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ନିର୍ବାଚନ ପରବର୍ତ୍ତୀ ସମୀକ୍ଷାରୁ ଜଣାପଡିଥିଲା । ହେଲେ ଏଥର ପ୍ରଦୀପ ମହାରଥୀ ନାହାଁନ୍ତି । ତେଣୁ ତାଙ୍କ ଆବର୍ତମାନରେ ପୁତ୍ର ରୁଦ୍ର ଟିକେଟ ପାଇଲେ ଯୁବଗୋଷ୍ଠୀ ପୁଣି ଦଳକୁ ଫେରିବର ଯଥେଷ୍ଟ ସମ୍ଭାବନା ଥିବା ରାଜନୈତିକ ମହଲରେ ଆଲୋଚନା ଚାଲିଛି ।

Leave A Reply

Your email address will not be published.

two × five =