ଏସବିଆଇ ପକ୍ଷରୁ ଖୁଚୁରା ଋଣ ପୁନର୍ଗଠନ ପାଇଁ ଅନଲାଇନ ପୋର୍ଟାଲ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ଏକ ପୁନର୍ଗଠନ ନୀତି ଆଣିଛି ଯାହାର ଲକ୍ଷ୍ୟ ହେଉଛି କୋଭିଡ୍-୧୯ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଖୁଚୁରା କ୍ଷେତ୍ରର ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା । ପୁନର୍ଗଠନ ନୀତିର ସରଳ ଏବଂ ବାଧାମୁକ୍ତ କ୍ରିୟାନ୍ୱୟନ ପାଇଁ ଏସବିଆଇ ପକ୍ଷରୁ ଏକ ଅନଲାଇନ ପୋର୍ଟାଲ୍ର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ସେମାନଙ୍କ ଋଣର ପୁନର୍ଗଠନ ଯୋଗ୍ୟତା ବିଷୟରେ ନିଜ ଘରେ କିମ୍ବା ଅଫିସରେ ସୁବିଧାରେ ରହି ଜାଣିପାରିବେ ।
ଏହି ପୋର୍ଟାଲ୍ରେ ଏସବିଆଇ ଗ୍ରାହକମାନେ ଲଗ୍ଇନ୍ କରିବା ପରେ ତାଙ୍କୁ ଖାତା ନମ୍ବର ମଗାଯିବ । ଏହି ପ୍ରକ୍ରିୟା ଶେଷ ହେବା ପରେ ଓଟିପି ସ୍ୱୀକୃତି ଦରକାର ପଡ଼ିବ ଏବଂ କିଛି ଜରୁରୀ ସୂଚନା ଦେବା ପରେ ଗ୍ରାହକମାନେ ନିଜ ଋଣ ପୁର୍ନଗଠନ ପାଇଁ ଯୋଗ୍ୟ ନା ନାହିଁ ତାହା ଜାଣିପାରିବେ ଏବଂ ତାଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ । ସେହି ରେଫରେନ୍ସ ନମ୍ବର ୩୦ ଦିନ ପାଇଁ ବୈଧ ରହିବ ଓ ସେହି ସମୟ ସୀମା ଭିତରେ ଗ୍ରାହକଙ୍କୁ ଶାଖାରେ ପହଂଚି ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ଶେଷ କରିବାକୁ ପଡ଼ିବ । କାଗଜପତ୍ର ଯାଂଚ ପରେ ହିଁ ପୁନର୍ଗଠନ ପ୍ରକ୍ରିୟା ଶେଷ ହେବ ।
ଏହି ଅବସରରେ ଶ୍ରୀଯୁକ୍ତ ସି ଏସ୍ ସେଟ୍ଟି, ପରିଚାଳନା ନିର୍ଦେଶକ (ରିଟେଲ୍ ଆଣ୍ଡ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍), ଏସ୍ବିଆଇ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ପୋର୍ଟାଲ୍ ଉନ୍ମୋଚନ କରାଯାଇଥିବାରୁ ଶାଖା ପରିଦର୍ଶନ ପୂର୍ବରୁ ଗ୍ରାହକମାନେ ନିଜ ଯୋଗ୍ୟତା ବିଷୟରେ ଜାଣିପାରିବେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଫ୍ରେମ୍ୱର୍କ ଅନୁସାରେ ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୩୦ ଦିନ କିମ୍ବା ତା’ଠାରୁ ଅଧିକ ଦିନ ଯେଉଁ ଗ୍ରାହକଙ୍କ ଖାତା ଖିଲାପ ହୋଇନଥିବ ଓ ତାହା ସାଧାରଣ ଖାତା ବର୍ଗରେ ରହିଥିବ ଏବଂ ଯଦି ତାଙ୍କ ଆୟ କୋଭିଡ୍-୧୯ ପାଇଁ ପ୍ରଭାବିତ ହୋଇଥିବ ତେବେ ତାଙ୍କ ଖାତା ପୁନର୍ଗଠନ ପାଇଁ ଯୋଗ୍ୟ ହୋଇପାରିବ । ଗ୍ରାହକଙ୍କ ଋଣ ପୁନର୍ଗଠନ ଆବେଦନର ମୁରି ବିଷୟରେ ଏସବିଆଇ ଶାଖା/ସିପିସି ତରଫରୁ ସେମାନଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.

one × three =