ଭୁବନେଶ୍ୱର: ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ୟୁ.ଜି.ସି. ଯେଉଁ ପରୀକ୍ଷା ପରିଚାଳନା ପାଇଁ ନିର୍ଦେଶ ଜାରି କରିଛି ତାହା ସମ୍ପୂର୍ଣ୍ଣ ଅମାନବୀୟ ଓ ଅଦୂରଦର୍ଶୀ । ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରୀକ୍ଷା କରାଇବାର ନିଷ୍ପତି ଛାତ୍ରଛାତ୍ରୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା ସଦୃଶ । ପରୀକ୍ଷା ନିଷ୍ପତିରେ ବାରମ୍ବାର ପରିବର୍ତନ ପିଲାଙ୍କୁ ମାନସିକ ଚାପଗ୍ରସ୍ତ କରାଉଛି । ସାମ୍ପ୍ରତିକ ସ୍ଥିତିରେ ଅଫ୍ଲାଇନ୍ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ଭିତିଭୂମିର ଅଭାବ ରହିଛି । ପରୀକ୍ଷା ସେଣ୍ଟରରେ ପହଂଚିବାଠାରୁ ଆରମ୍ଭ କରି ସେଠାରେ ରହିବା, ଖାଇବା ଓ ପୃଥକ ଶୌଚାଳୟ ଆଦିର ସୁବିଧା ସେପ୍ଟେମ୍ବର ସୁଦ୍ଧା କରାଯିବା ସମ୍ଭବ କି? ଯଦି କୌଣସି ଗୋଟିଏ ପିଲା କରୋନା ଦ୍ୱାରା ସଂକ୍ରମିତ ହୁଏ, ତେବେ ସରକାର ନିଜକୁ ଦାୟୀ କରିବେ କି ? ଅଫ୍ଲାଇନ୍ର ବିକଳ୍ପ ଭାବରେ ଯେଉଁ ଅନ୍ଲାଇନ୍ ପରୀକ୍ଷା ପାଇଁ ଉଲ୍ଲେଖ କରାଯାଇଛି, ତାହା ସମ୍ପୂର୍ଣ୍ଣ ଶିକ୍ଷା ଓ ଛାତ୍ର ବିରୋଧି । ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧନୀ-ଗରିବର ପାଚେରୀ ତିଆରି କରିବ । ଅପର ପକ୍ଷରେ ସି.ବି.ଏସ୍.ଇ. ଯେଉଁ ବିଷୟଗୁଡ଼ିକୁ ପାଠ୍ୟକ୍ରମରୁ ବାଦ୍ ଦେଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାର ବିଷୟ । ଦେଶର ଏକତା ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏ.ଆଇ.ଏସ୍.ଏଫ୍. ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିବେକ କୃଷ୍ଣା, ମାନସ ରଂଜନ କର ଓ ଲିପୁନ୍ କୁମାର ହୋତା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିକଟରେ ମାଗଣାରେ ପୁସ୍ତକ ଓ ପାଠ୍ୟ ଉପକରଣ ପହଞ୍ଚାଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ମହୋଦୟ ମଧ୍ୟ ଏହାକୁ ବିଚାରକୁ ନେଇ ଛାତ୍ର ସମାଜର ହିତରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।