ଭୁବନେଶ୍ୱର,୨୫.୬ (ନି.ପ୍ର.): ଶାସ୍ତ୍ରୀୟ ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ସର୍ଦ୍ଧାର ପଟେଲ ଭବନ ପରିସର ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ ଏହା ଆରମ୍ଭ ହୋଇଛି । ସାହିତ୍ୟକ ତଥା ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା କେନ୍ଦ୍ରର ପ୍ରଥମ ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାଥମିକ ଭାବେ ଶାସ୍ତ୍ରୀୟ ଓଡ଼ିଶା ଭାଷା ବିଷୟରେ ଭବେଷଣା, ତଥ୍ୟ ସଂଗ୍ରହ, ପ୍ରଚାର ଭଳି କାର୍ଯ୍ୟ ସମ୍ପାଦନ କରାଯିବ । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ପ୍ରଫେସର ପଣ୍ଡାଙ୍କୁ ସ୍ୱାଗତ କରିଛନ୍ତି । ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଆରମ୍ଭ ପାଇଁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ପାଣିଗ୍ରାହୀ ନୂଆଦିଲ୍ଲୀ ସହ ସମ୍ପର୍କରେ ରହି ସମ୍ପର୍କରେ ରହି ପ୍ରୟାସ ଜାରି ରଖିଥିଲେ । ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ୨୦୧୪ ମସିହାରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଅନୁଯାୟୀ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଥିଲା । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ପରେ ଆଜି ଏହା ସଫଳ ହୋଇଛି । ୨୦୧୩ରେ କେରଳ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ବି ଏଯାଏ ନିର୍ଦେଶକ ନିଯୁକ୍ତ ହୋଇନଥିବା ବଳେ ଆମର ଏହି ଅଧ୍ୟୟନ କେନ୍ଦ୍ରରେ ନିର୍ଦେଶକ ନିଯୁକ୍ତ ହେବା ଖୁସିର ବିଷୟ । ପର୍ଯ୍ୟାୟକ୍ରମେ ଅନ୍ୟ କର୍ମକର୍ତାଙ୍କୁ ନିଯୁକ୍ତ କରାଯିବା ସହ ବିଧିବଦ୍ଧ ଭାବେ ଉଦ୍ଘାଟନ କରାଯିବ ବୋଲି ସେ କହିଛନ୍ତି । ଏହି କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଭାଷା ଉତ୍ପତିର ଉତ୍ସ ସମ୍ବନ୍ଧରେ ଗବେଷଣା ସହ ପାଣ୍ଡୁଲିପି ସଂଗ୍ରହ ଓ ତା’ର ଡିଜିଟାଇଜେସନ କରିବା, ଶାସ୍ତ୍ରୀୟ ଓଡ଼ିଶା ସମ୍ପର୍କିତ ପୁସ୍ତକ ପ୍ରକାଶନ କରିବା, ଜାତୀୟ ସ୍ତରରେ ଭାଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।