ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ପରିବର୍ତନ ଅଣାଯିବାକୁ ସେ ଚାହିଁଥିଲେ । ସଲିସିଟର ଜେନେରାଲ୍ ପଦକ୍ଷେପ ନେବାରୁ ଏପରି ହେଲା । କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଗତ ୨୪ ତାରିଖ ବୁଧବାର ସଂଧ୍ୟାରେ କାମାକ୍ଷାନଗର ବିଧାନସଭା କ୍ଷେତ୍ରର କାର୍ଯ୍ୟକର୍ତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭର୍ଚୁଆଲ୍ ରାଲି ମାଧ୍ୟମରେ ସମ୍ବୋଧନ କରିଥିଲେ । ବିଭିନ୍ନ ସ୍ଥାନରେ ରହି ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ୟକର୍ତାମାନେ ମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିଥିଲେ । କରୋନା’ ମହାମାରୀ କାଳରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସଂପର୍କରେ କହିବା ସଙ୍ଗେ ସଙ୍ଗେ ରାମ ମନ୍ଦିର, ନାଗରିକତା ସଂଶୋଧନ ଆଇନ୍, ୩୭୦ ଧାରା ଉଚ୍ଛେଦ ଆଦି ଉପରେ ମଧ୍ୟ ସେ ଅବତାରଣା କରିଥିଲେ । ଯଦିଓ ରାଜ୍ୟରେ ମୋଦିଙ୍କ ଯୋଜନାମାନ କାର୍ଯ୍ୟକାରୀ ହେବା ନେଇ କେତେକ ତୃଟି ଦେଖାଦେଉଛି ତେବେ ମଧ୍ୟ ଓଡିଶା ପ୍ରତି ସମସ୍ତ କଲ୍ୟାଣକାରୀ ଯୋଜନା ଆହୁରି ଅଧିକ ଗତିରେ ଲାଗୁ ହେବ ବୋଲି ମଧ୍ୟ ସେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଗାଁ ଗାଁରେ ପହଁଚାଇବା ସହ ଦଳୀୟ ସଂଗଠନ ମଜଭୁତ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତି ନରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ସାଂସଦ (ରାଜ୍ୟସଭା) ରୁଦ୍ର ନାରାୟଣ ପାଣି ଏବଂ ଗତ ବିଧାନସଭା ପ୍ରାର୍ଥୀ ଶତୃଘନ ଜେନା ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସାଧାରଣ ସଂପାଦକ ପ୍ରେମାନନ୍ଦ ଜେନା ଅତିଥି ପରିଚୟ କରିଥିବାବେଳେ ଜିଲ୍ଲା ଉପସଭାପତି ନବ କିଶୋର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ସ୍ଥାନରେ ପ୍ରାକ୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ ସଂପାଦକ କାଳନ୍ଦୀ ଚରଣ ସାମଲ, ଦଳୀୟ ନେତା ସବଶ୍ରୀ ସୁନିଲ୍ ଶର୍ମା, ମାତୃ ପ୍ରସାଦ ନନ୍ଦ, ପବିତ୍ର ବିଶ୍ୱାଳ, ଭବାନୀ ଶଙ୍କର ବେହେରା, ସନ୍ଦୀପ ପଟ୍ଟନାୟକ, ଚୈତନ୍ୟ ବେହେରା, ସଞ୍ଜୟ ରାଉତ ଓ କମଳିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।