ଓଡ଼ିଶା ସୀମାନ୍ତରେ ପୁଣି ପଶିଲେ ହାତୀପଲ

* ଭୟଭୀତ ଚିଡେଇପାଣି ଗ୍ରାମବାସୀ * ଧର୍ମଘଟରେ ବନ୍ୟଜନ୍ତୁ ସୁରକ୍ଷା ଦଳ ଓ ପାରାଗାର୍ଡ 

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଅଂଚଳରେ ପୁଣି ଥରେ ହାତୀପଲର ପ୍ରବେଶ ହୋଇଥିବା ଜଣାପଡିଛି l ଏହି ଅବସରରେ ଗତକାଲି ପ୍ରାୟ ୧୦ ରୁ ୧୨ ଗୋଟି ହାତୀର ଏକ ଦଳ ସୀମାନ୍ତ ଗ୍ରାମ ଚିଡେଇପାଣି ଅଂଚଳରେ ପ୍ରବେଶ କରିଥିଲେ | ଗତକାଲି ରାତିରେ ଏହି ହାତୀପଲ ଆସିବା ସୂଚନା ପାଇ ଚିଡେଇପାଣି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ସହିତ ଉକ୍ତ ଗ୍ରାମର ଧନସିଂ ଗଣ୍ଡଙ୍କ ଘର ଛାତ ଉପରେ ପ୍ରାୟ ୮ ରୁ ୧୦ ଗୋଟି ପରିବାରର ଲୋକେ ଆଶ୍ରୟ ନେଇଥିବା ଜଣାପଡ଼ିଛି | ଆଉ କିଛି ଲୋକ ଏହି ହାତୀପଲ କୁ ଭୟଭୀତ କରିବାକୁ  ରାତି ତମାମ ବାଣ ଫୁଟାଇବା ସହିତ ବାଜା ମଧ୍ୟ ବଜାଇ ଥିଲେ | ଅନ୍ୟପଟେ ବନ ବିଭାଗ ପକ୍ଷରୁ ଏହି ହାତୀପଲରୁ ସୁରକ୍ଷା ଦେବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରି ପାରୁ ନଥିବା ଜଣାପଡ଼ିଛି | ଆଜି ସକାଳୁ ଖବର ପାଇ ବନ ବିଭାଗର କିଛି କର୍ମଚାରୀ ଚିଡେଇପାଣି ଅଂଚଳକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି l   ଅନ୍ୟପଟେ ଗତକାଲି ଠାରୁ ସ୍ଥାନୀୟ ରେଞ୍ଜର ମୋଟ ୧୪ ଜଣ ପାରା ଗାର୍ଡ ଓ ବନ୍ୟଜନ୍ତୁ ସୁରକ୍ଷା ଦଳ ଦରମା ବୃଦ୍ଧି , ଆଉଟ ସୋର୍ସିଂ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଭଳି କିଛି ଦାବୀକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଥିବା ସହିତ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଯାଇଥିବାରୁ ରାଇଘର ବନ ବିଭାଗକୁ ଏବେ ଚିନ୍ତା ଘାରିଲାଣି l ଫଳରେ ଏହି ହାତୀପଲ ଠାରୁ ସୁରକ୍ଷା ମିଳିବାକୁ ନେଇ ସୀମାନ୍ତ ଗ୍ରାମବାସୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି l ଗତ ଦେଢ ବର୍ଷ ଧରି ଛତିଶଗଡ଼ ଅଞ୍ଚଳରୁ ହାତୀପଲ ଲଗାତାର ପଶି ଆସି ଆତଙ୍କ ଖେଳାଉଥିବା ସହିତ ଗତ ଡିସେମ୍ବର ମାସରେ  ସିଉନାପାଲି ଗ୍ରାମର ଜଣେ ବୃଦ୍ଧଙ୍କୁ ଦଳି ଦଳି ମାରି ଦେଇଥିବା ଘଟଣା ପରେ ଏବେ ହାତୀପଲ କୁ ନେଇ ସୀମାନ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି | ପ୍ରକାଶ ଥାଉକି ଗତ ଦୁଇ ବର୍ଷ ଧରି ୮ରୁ ଆରମ୍ଭ କରି ବର୍ତ୍ତମାନ ୩୫ ଗୋଟି ହାତୀର ଏକ ହାତୀପଲ ସୀମାନ୍ତ ଅଂଚଳରେ ଆସି ଫସଲ ନଷ୍ଟ କରିବା ସହିତ ଘର ଦ୍ବାର ଭଙ୍ଗାଋଜା କରି ଆସୁଛନ୍ତି l ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସୀମାନ୍ତ ଗ୍ରାମ ଗୁଡ଼ିକ ମଧ୍ୟରୁ  କୁନ୍ଦେଇ, ହାଟଭରଣ୍ଡି, ଖିଲୋଲି, ଭୁରାକାମହଲି, ସେମରଡିହି, ସିଉନାପାଲି, ମାରିଙ୍ଗା, କାନାଡିହି, ଦରିପାରା, ସମ୍ବଲପୁର, କାଣ୍ଡେତରା, ଖୁଡୁକୁ , ଛପାରପାଣି, ଲାଲଭଟରଲି, ରାଜପୁର ପଘାରପାଣି ଆଦି ଗ୍ରାମର ଲୋକେ ପ୍ରାୟ ସମୟରେ ହାତୀପଲକୁ ନେଇ ଭୟଭୀତ ଅବସ୍ଥାରେ ରହି ଆସୁଛନ୍ତି | ଅନ୍ୟପଟେ ବନ ବିଭାଗ ପକ୍ଷରୁ ହାତୀପଲରୁ ସୁରକ୍ଷା ଦେବା ତଥା ହାତୀପଲର ପ୍ରବେଶକୁ ନେଇ ଲୋକଙ୍କୁ ଆଗୁଆ ସୂଚନା ଦେବା ଏବଂ  ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବୀ ହେଉଛି l

Leave A Reply

Your email address will not be published.

twenty + five =