କରୋନା ମୁକାବିଲା ପାଇଁ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ପାଇଁ ଅଧିକ ଆତଙ୍କିତ ନ ହୋଇ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ଅନୁସରଣ କରିବା ସହ ଭୂତାଣୁ ସମ୍ପର୍କରେ ଜନସଚେତନତା ହିଁ ସମାଜକୁ ସୁସ୍ଥ ରଖିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି ଅନୁଷ୍ଠିତ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ବ୍ୟକ୍ତ କରିଛନ୍ତି । ଏଥିରେ ଅଂଶଗ୍ରହଣ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ତଥା ଏମ୍ସ, ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ର କହିଲେ ଯେ, ମୌଳିକତଃ କୋଭିଡ-୧୯ ଏକ ଶ୍ୱାସକ୍ରିୟା ସଂକ୍ରମଣ ଜନିତ ରୋଗ ହେଲେ ମଧ୍ୟ ରୋଗର ସଂକ୍ରମଣ ବ୍ୟାପକତା ନେଇ ଗବେଷଣା ଦ୍ୱାରା ନୂତନ ତଥ୍ୟମାନ ଆସୁଛି । ଏହା ବାୟୁ ବାହିତ ବୋଲି ତଥ୍ୟ ଆସିବା ପରେ ସାମାଜିକ ଦୂରତ୍ୱ ଓ ମହତ୍ୱ ଅଧିକ ବୃଦ୍ଧି ପାଇଛି । ତେବେ ଶତକଡା ୮୦ ଭାଗ ରୋଗୀ ସାମାନ୍ୟ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଥିବାରୁ ଭୟର କୌଣସି କାରଣ ନାହିଁ । ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ଅବସ୍ଥାରେ ଥିବା ରୋଗୀଙ୍କ ନିମନ୍ତେ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦେଶୀୟ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ପ୍ରୟୋଗ କଲେ ମଧ୍ୟ ଏହାକୁ ଚିକିତ୍ସାର ଔଷଧ ଭାବେ ବିବେଚନା କରାଯିବା ଅନୁଚିତ । ପିଆଇବି ମହାନିର୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଆଂଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋର ନିଦେ୍ର୍ଧଶକ ଶ୍ରୀ ଅଖିଳ କୁମାର ମିଶ୍ର ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବଳଭଦ୍ର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ କୁମାର ଚୌଧୁରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହାୟକ ଅଧିକାରୀ ଶ୍ରୀ ସ୍ୱାଧିନ ଶକ୍ତି ପ୍ରସାଦ ବୈଷୟିକ ସହଯୋଗ କରିଥିଲେ ।

Leave A Reply

Your email address will not be published.

6 + 9 =