ଭୁବନେଶ୍ୱର : ବର୍ତମାନ ସାରା ଦୁନିଆ କରୋନା ମହାମାରୀର ସମସ୍ୟାରେ ଯୁଝୁ ଥିବା ବେଳେ ଶିକାରି ମାନେ କିନ୍ତୁ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏମିତି ଏକ ବାଘ ଚମଡ଼ାର ମୂଳଚାଲ ଚାଲିଥିବା ବେଳେ ଜଣେ ଶିକାରୀ ବନବିଭାଗର ପଞ୍ଝାରେ ପଡିଛି । ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜର କଟାସ ଗ୍ରାମରେ ଅଂଚଳରେ ଘଟିଥିବାର ଜଣାଯାଇଛି । ସୂଚନା ଅନୁସାରେ ପୂର୍ବରୁ ଖବର ପାଇ ରାଇରଙ୍ଗପୁର ବନଖଣ୍ଡର ଅଧିକାରୀ ମାନେ ଦୀର୍ଘ ଛଅ ମାସ ଧରି ଏକ ସ୍ୱତନ୍ତ୍ର ଟିମ୍ ଯୋଗେ ଶିକାରୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଏହାପରେ ମଙ୍ଗଳବାର କଲରାପତରିଆ ବାଘ ଚମଡ଼ାର କିଣାବିକା ହେଉଥିବାର ସୂଚନା ପାଇ ସ୍ୱତନ୍ତ୍ର ଟିମ ଯୋଗେ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ଗାଡି ଶବ୍ଦ ଶୁଣି ବେପାରୀମାନେ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ । ସେଠାରେ କଲରାପତରିଆ ବାଘ ଚମଡ଼ାକୁ ଜବତ କରିବା ସହିତ ଚଢ଼ାଉ ସମୟରେ ଜଣେ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଅନ୍ୟ ଦୁଇଜଣ ଶିକାରି ସେଠାରୁ ଖସି ପଲେଇ ଯିବାରେ ସକ୍ଷମ ହୋଇଥିଲେ । ଗିରଫ ହୋଇଥିବା ଶିକାରୀ ବିଶୋଇ ଥାନା ଅନ୍ତର୍ଗତ ବଡ ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ(୨୭) । ଶିକାରୀ ବ୍ୟବହାର କରୁଥିବା ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ବନବିଭାଗ । କଲରାପତରିଆ ଛାଲ ୧୧୫ ସେମି ଲମ୍ବା ଓ ୩୧ସେମି ଓସାର ହୋଇ ଥିବା ବେଳେ ଦୁଇ ୩ ମାସ ତଳେ ଶିକାର କରାଯାଇଥିବା ଜଣାପଡ଼ିଛି । ଶିମିଳିପାଳ ଜୈବମଣ୍ଡଳ ସଂଲଗ୍ନ ଅଂଚଳରୁ କଲରା ପତରିଆଟି ଶିକାର କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ଃ. ଅରୁଣ କୁମାର ମିଶ୍ରଙ୍କୁ ନେତୃତ୍ୱରେ ଏସିଏଫ ବୈଦନାଥ ମାଝୀ, ଏସିଏଫ ନବୀନ ଚନ୍ଦ୍ର ନାୟକ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ଚଢ଼ାଉ କରିଥିଲେ । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ କରିବା ସହ ଅନ୍ୟମାନଙ୍କୁ ଟ୍ରେସ କରାଯାଉଥିବାର କହିଛନ୍ତି ।