କଳାହାଣ୍ଡିରେ ୧୦ ଲକ୍ଷ ୯୪ ହଜାର କ୍ୱିଇଂଟାଲ ଧାନ କ୍ରୟ


ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାର ମଣ୍ଡିଗୁଡିକରେ ଧାନ ପଡିରହିଛି । ଚାଷୀମାନେ ଶୀତ କାକରରେ ହନ୍ତସନ୍ତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୧୦ ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଆହୁରି ୮ ଟି ମଣ୍ଡି ଖୋଲିନଥିବା ଯୋଗୁଁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରକାଶ ଯେ, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୪ ଲକ୍ଷ ୪୦ ହଜାର ୯୦୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି । ଗତ ୧୨ ତାରିଖ ସୁଦ୍ଧା ୧୦ ଲକ୍ଷ ୯୪ ହଜାର ୧୦୧ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ସେଥି ମଧ୍ୟରୁ ୧୦ ଲକ୍ଷ ୭୯ ହଜାର ୮୮୩.୦୫ କୁଇଣ୍ଟାଲ ଧାନ ମିଲର୍ମାନଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ କ୍ରୟ ହୋଇଥିବା ଧାନର ୧୪ ହଜାର ୨୧୭.୫୫ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ । ଜିଲ୍ଲାରେ ୨୦୮ ଟି ମଣ୍ଡି ଥିବା ବେଳେ ୨୦୦ଟି ମଣ୍ଡି ଖୋଲିଛି ଓ ଆହୁରି ୮ ଟି ମଣ୍ଡି ଖୋଲିନାହିଁ । ୬୦ ଜଣ ମିଲର୍ସ ମଣ୍ଡିରେ ସାମିଲ ହୋଇଛନ୍ତି । ୧୫୦୬୮ ଚାଷୀ ଧାନ ମଣ୍ଡିରେ ବିକି୍ର କରିଛନ୍ତି । ବହୁ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ୮ ଟି ଆରମ୍ଭ ନ ହୋଇଥିବାରୁ ଚାଷୀମାନେ ଖଳାରେ ଧାନ ରଖି ଶୀତ କାକରରେ ଜଗିଛନ୍ତି । ଅନ୍ୟପକ୍ଷରେ ଯେଉଁ ମଣ୍ଡିଗୁଡିକ ଆରମ୍ଭ ହୋଇଛି ସେଠାରେ ଚାଷୀମାନେ ଧାନ ଆଣି ମଣ୍ଡିରେ ଜଗି ରହିଥିବା ବେଳେ ସେମାନଙ୍କ ଟୋକନ ତାରିଖ ବିଳମ୍ବରେ ରହିଛି । ଯେଉଁମାନଙ୍କ ଟୋକନ ମିଳିଛି ସେମାନଙ୍କ ମଧ୍ୟରୁ ବହୁ ଚାଷୀଙ୍କ ଧାନ ମଣ୍ଡିକୁ ମଧ୍ୟ ଆସିନାହିଁ । ଫଳରେ ଚାଷୀମାନେ ଧାନ ବିକି୍ର ନେଇ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଶୀତ କାକରରେ ଦିନ ଦିନ ଧରି ଚାଷୀ ମଣ୍ଡିରେ ପଡି ରହୁଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଯେଉଁଠି ମଣ୍ଡିଗୁଡିକ ଆରମ୍ଭ ହୋଇଛି ସେଠାରେ ୮ ରୁ ୧୦ କେଜି କଟନି ଛଟନି କରାଯାଉଛି । ଚାଷୀମାନେ ଏଥିରେ ଅମଙ୍ଗ ହେଲେ ବିଭିନ୍ନ ଭାବରେ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଚାଷୀମାନଙ୍କ ମଣ୍ଡିରେ ଏହି ଦୁର୍ଦ୍ଧଶା ସମୟରେ କୌଣସି ରାଜନେତା କିମ୍ବା କୃଷକ ନେତାଙ୍କ ଦେଖାଦର୍ଶନ ମିଳୁନଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଚଳିତବର୍ଷ ପ୍ରାୟ ଧାନ ଅମଳ ଠିକ ଥିବା ଯୋଗୁଁ ବର୍ତ୍ତମାନ ଚାଷୀମାନେ ଦିନ ଦିନ ଧରି ଭାଗ୍ୟକୁ ଆାଦରି ପଡି ରହିଛନ୍ତି । ଅନ୍ୟପଟେ ଅଣ୍ଡରରେଟରେ ଦଲାଲମାନେ ଚାଷୀଙ୍କ ଠାରୁ ଧାନ କିଣି ମଣ୍ଡିକୁ ଆଣି ନିଜର କାୟା ବିସ୍ତାର କରିଛନ୍ତି । ପ୍ୟାକ୍ସ, ମିଲର୍ସ, ରାଜନେତା ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କ ଧାନ ବିକି୍ର ନେଇ ଚାଷୀମାନେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର ଏଥିର ହସ୍ତକ୍ଷେପ କରି ମଣ୍ଡିରେ ପଡିରହିଥିବା ଚାଷୀଙ୍କ ଧାନକୁ ଉଠାଣ କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

eleven + 18 =