ଭବାନୀପାଟଣା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚମାସରେ ୯ଟି ହାତୀ ପ୍ରାଣ ହରାଇବା ଘଟଣା ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।
କଳାହାଣ୍ଡି ଜିଲ୍ଳାରେ ହାତୀ କରିଡର ଅସୁରକ୍ଷିତ ଥିବା ବେଳେ ବନବିଭାଗର ଉଦାସୀନତା ତଦନ୍ତସାପେକ୍ଷ । ପ୍ରକାଶ ଯେ, ଜିଲ୍ଲାରେ ଗତ ଫେବ୍ରୃଆରି ମାସରୁ ଏପର୍ଯ୍ୟନ୍ତ ୯ଟି ହାତୀ ପ୍ରାଣ ହରାଇଛନ୍ତି । ଏବେ ବଞ୍ଚିଥିବା ଅନ୍ୟ ହାତୀମାନେ କେତେ ସୁରକ୍ଷିତ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।
କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନାଲାରେ ପାଣି ପିଇଥିବା ହାତୀମାନଙ୍କ ମୃତ୍ୟୁ ନେଇ କେନ୍ଦ୍ରୀୟ ଟିମ୍ ମଧ୍ୟ ତଦନ୍ତ କରିଥିଲା । ତଦନ୍ତ ରିପୋର୍ଟରେ ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ବନବିଭାଗ ଏହା ରୋଗଜନିତ ମୃତ୍ୟୁ ବୋଲି ଅତି ହାଲୁକା ଭାବରେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । କର୍ଲାପାଟ ଅଭୟାରଣ୍ୟରେ ୨୦୦୬-୦୭ ମସିହାରେ ହାତୀ ମଡ଼କରେ ପ୍ରାୟ ୧୨ଟି ହାତୀ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ୨୧ ଜଣଙ୍କୁ ଗିରଫ କରି ବନବିଭାଗ କୋର୍ଟ ଚାଲାଣ କରିଥିଲା । ବର୍ତ୍ତମାନର ରେଞ୍ଜର ସେତେବେଳେ ଏଠାରେ ଫରେଷ୍ଟର ଭାବରେ ଅବସ୍ଥାପିତ ହୋଇଥିଲେ । ସେତେବେଳେ ହାତୀ ଶିକାରୀଙ୍କ ପର୍ଦ୍ଦାଫାସ ହୋଇଥିଲା । ବର୍ତ୍ତମାନ ସେହି ଫରେଷ୍ଟର ଏବେ ରେଞ୍ଜର ଥିବା ବେଳେ ପୁଣି ସେହି ଅଞ୍ଚଳରେ ୯ଟି ହାତୀ ମୃତ୍ୟୁବରଣ କରିଥିବା ଘଟଣା ସଂଯୋଗ ନା ଷଡ଼୍ଯନ୍ତ୍ର ବୋଲି ସାଧାରଣରେ ଭୃକୁଞ୍ଚନ ଦେଖାଦେଇଛି । ସମ୍ପୃକ୍ତ କର୍ମଚାରୀଙ୍କ ସମୟରେ ହିଁ ଏହି ଅଞ୍ଚଳରେ ହାତୀମଡ଼କ ହେଉଥିବା ଘଟଣା ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।