ଯାଜପୁର: କଳିଙ୍ଗନଗର ଶିଳ୍ପାଂଚଳରେ ଶିଳ୍ପପତି, ସ୍ଥାନୀୟ ଜନତା ଓ ଶିଳ୍ପ କର୍ମଚାରୀ ବିଭିନ୍ନ ସମସ୍ୟରେ ଛଟପଟ ହେଉଛନ୍ତି । ଶିଳ୍ପପତିଙ୍କୁ ଖଣି, ପାଣି ଓ ଜମି ଆବଶ୍ୟକ ମୁତାବକ ମିଳି ପାରୁନି । ସ୍ଥାନୀୟ ଜନତାଙ୍କୁ ନିଯୁକ୍ତି ଓ କର୍ମ ନିଯୁକ୍ତିର ଅଭାବ ରହୁଛି । ବିସ୍ଥାପିତ ଓ ଜମିହାରଙ୍କୁ ପୁନର୍ବାସ ଓ ଥଇଥାନ ନୀତିରେ ଉପକାର ମିଳିପାରୁ ନାହିଁ । ଗୋଟିଏ ପରେ ଗୋଟଏ ଶିଳ୍ପସଂସ୍ଥା ବନ୍ଦ ହେଉ ଥିବାରୁ ଶିଳ୍ପ କର୍ମଚାରୀ ଓ ଶ୍ରମିକଙ୍କ ଦାନପାଣି ସଙ୍କଟରେ ପଡ଼ିଛି । ଏଭଳି ସ୍ଥିତିରେ କଳିଙ୍ଗନଗର ଶିଳ୍ପୟନ ଅସୁସ୍ଥ ବାତାବରଣ ମଧ୍ୟରେ ଗତି କରୁଛି । ଏହାର ଚିରସ୍ଥାୟୀ ସମାଧାନ ପାଇଁ ସଚିବାଳୟ ଠାରୁ କଳିଙ୍ଗନଗର ଶିଳ୍ପ ପ୍ରଶାସନ ପର୍ଯ୍ୟନ୍ତ ବହୁବାର ସମୀକ୍ଷା ବୈଠକ ଆହୁତ ହେଉଛି । ଶିଳ୍ପଂଚଳର ସମସ୍ୟା ସମାଧାନ ହୋଇ ପାରୁ ନଥିବାରୁ କଳିଙ୍ଗନଗରରେ ସୁସ୍ଥ ଶିଳ୍ପାୟନ ସମ୍ଭବ ହୋଇ ପାରୁନି । ଓଡ଼ିଶା ଶିଳ୍ପ ଭିତିଭୂମି ନିଗମ (ଇଡ୍କୋ) କଳିଙ୍ଗନଗର ଶିଳ୍ପାଂଚଳର ଭିତିଭୂମି ବିକାଶ ଦାୟିତ୍ୱ ନେଇଛି । ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଯୋଗାଇବା ସହ ସର୍ବୋତମ ଭିତିଭୂମି ବିକାଶ ନିମନ୍ତେ ଦୁଇ ଦଶନ୍ଧି ତଳୁ ଇଡ୍କୋ ଦାୟିତ୍ୱ ମୁଣ୍ଡାଇଛି । ଇଡ୍କୋର କାର୍ଯ୍ୟନ୍ୱୟନ ପ୍ରକ୍ରିୟା ଭିତିଭୂମି ବିକାଶ ନିମନ୍ତେ ସମର୍ଥ ହୋଇ ପାରୁ ନଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଡାଉନଷ୍ଟ୍ରମ ଶିଳ୍ପସଂସ୍ଥାକୁ କଳିଙ୍ଗନଗର ମୁହାଁ କରିଛନ୍ତି । ମଧ୍ୟମ ଓ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ କଳିଙ୍ଗନଗରରେ ପାଦ ଦେବା ବେଳେ ପ୍ରଥମେ ଜମି ସମସ୍ୟାକୁ ଅନୁଭବ କରୁଛିନ୍ତି । ସମ୍ପୃକ୍ତ ଗ୍ରାମର ୧୦୭ ପରିବାରର ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା କରିବାକୁ କୌଣସି ଶିଳ୍ପସଂସ୍ଥା କିମ୍ବା ସରକାର ସମର୍ଥ ହୋଇ ପାରି ନାହାନ୍ତି ।