କୂଅରେ ଗଳି ପଡିଲା ହାତୀ

ବାରିପଦା: ବିଳମ୍ବିତ ରାତ୍ରି ସମୟରେ ଏକ ମାଇ ହାତୀ ଚାଷ ଜମି ନିକଟରେ ଥିବା ଏକ କୂଅରେ ପଡିଯାଇଛି । ଏହି ଘଟଣାଟି ମୟୁରଭ ଜିଲ୍ଲାର କରିଆ ଅଂଚଳରେ ଘଟିଛି । ରାତିରେ ଫସଲ ଖାଇବାକୁ ଆସିଥିବା ସମୟରେ ଏପରି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଜିଲ୍ଲାରେ ବହୁ ସମୟରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । କରିଆ ବନଖଣ୍ଡ ଅଂଚଳରେ ମଧ୍ୟ ଏହି ଝାଡ଼ଖଣ୍ଡ ହାତୀ ଆତଙ୍କ ଥମୁନାହିଁ । ସୀମାନ୍ତ ରାଜ୍ୟ ଝାଡ଼ଖଣ୍ଡରୁ ମାସେରୁ ଉର୍ଦ୍ଧ ହେଲାଣି ଏକ ୨୧ ଟିକିଆ ହାତୀ ପଲ କରିଆ ବନଖଣ୍ଡରେ ପ୍ରବେଶ କରିଥିଲେ । ତେବେ ମାସକ ଭିତରେ ତାଙ୍କର ପରିବାରର ସଂଖ୍ୟା ବଢିଛି । କରିଆ ବନଖଣ୍ଡରେ ରହଣି ଭିତରେ ଦୁଇଟି ହାତୀ ଛୁଆ ଜନ୍ମ ହୋଇଛନ୍ତି । ହାତୀ ପଲ ବର୍ତମାନ କରିଆ ବନଖଣ୍ଡ ବଡ ଦେଉଳି ଜଙ୍ଗଲରେ ରହୁଛନ୍ତି । ତେବେ ଏହି ହାତୀ କୂଅରେ ପଡିଯିବାର ଖବର ପାଇବା ପରେ ହାତୀ ପଲଙ୍କୁ ଡ୍ରାଇଭ କରୁଥିବା ଟିମ ସଙ୍ଗେ ସଙ୍ଗେ ସେଠାରେ ପହଂଚିଥିଲେ । ଜେସିବି ମେସିନ ସହାୟତାରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଥିବାର ଜଣାଯାଇଛି ।

Leave A Reply

Your email address will not be published.

18 − one =