କେନ୍ଦୁଝର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆହ୍ୱାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି । ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ବିକାଶ, ଅଧିକାରର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଥି ନିମନ୍ତେ ଅନେକ ଆଇନ ପ୍ରଣୟନ କରିଛନ୍ତି । ବାଲ୍ୟ ବିବାହ ଦଣ୍ଡନୀୟ ଅପରାଧ । ଆଇନ ଅନୁଯାୟୀ ବାଲ୍ୟ ବିବାହ କରିବା, କରାଇବା ଏବଂ କରାଇବାରେ ସହଯୋଗ କରିବା ହେଉଛି ଦଣ୍ଡନୀୟ ଅପରାଧ । ଏଣୁ ଶିଶୁମାନଙ୍କର ଅଧିକାରର ସୁରକ୍ଷା ସହିତ ବାଲ୍ୟ ବିବାହ ଆଦି କୁପ୍ରଥା ରୋକିବା ନିମନ୍ତେ ସମସ୍ତେ ସହଯୋଗର ହାତ ବଢାଇବା ସହିତ ଏ ଦିଗରେ ବ୍ୟାପକ ଜନସଚେତନା ସୃଷ୍ଟି ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ସମାଜର ସବୁବର୍ଗର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।ବାଲ୍ୟ ବିବାହ ଭଳି କୁପ୍ରଥା ଓ ବେଆଇନ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ତଥା ଶିଶୁ ଅଧିକାରର ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ଟାସ୍କ୍ ଫୋର୍ସ କମିଟି, ବ୍ଲକ୍ସ୍ତରରେ ବ୍ଲକ୍ସ୍ତରୀୟ ଟାସ୍କ୍ ଫୋର୍ସ ଓ ଶିଶୁ ସୁରକ୍ଷା କମିଟି ଏବଂ ଗ୍ରାମ ପଂଚାୟତସ୍ତରରେ ପଂଚାୟତସ୍ତରୀୟ ଟାସ୍କ୍ ଫୋର୍ସ ଓ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି । ସରପଂଚଙ୍କ ଅଧ୍ୟକ୍ଷତାରେ ଗଠିତ ପଂଚାୟତସ୍ତରୀୟ ଟାସ୍କ୍ ଫୋର୍ସ ଓ ଶିଶୁ ସୁରକ୍ଷା କମିଟିରେ ଅଙ୍ଗନୱାଡିକର୍ମୀ, ଶିକ୍ଷକ, ଏ.ଏନ୍.ଏମ୍., ଆଶାକର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି, କିଶୋର/କିଶୋରୀ ଓ ଯୁବଗୋଷ୍ଠୀର ପ୍ରତିନିଧି ପ୍ରମୁଖ ସଦସ୍ୟ/ସଦସ୍ୟା ରହିଥିବାବେଳେ ଆଇ.ସି.ଡି.ଏସ୍. ସୁପରଭାଇଜରଙ୍କୁ କମିଟିର ସଂଯୋଜିକା ଦାୟିତ୍ୱ ଦିଆଯାଇଛି । ଉକ୍ତ କମିଟି ବାଲ୍ୟ ବିବାହ ନିଷେଧ ଅଧିନିୟମ-୨୦୦୬କୁ କଡାକଡି କାର୍ଯ୍ୟକାରୀ କରି ପଂଚାୟତର ପ୍ରତ୍ୟେକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ତଥା ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଉଥିବା ସ୍ଥିତିକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ସହିତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ କମିଟିକୁ ଅବଗତ କରାଇବେ । ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ୟା ଓ ଏହାର ନିରାକରଣ ନିମନ୍ତେ କାର୍ଯ୍ୟଖସଡା ପ୍ରସ୍ତୁତ କରିବେ । ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକର ୨୯୭ଟି ଗ୍ରାମ ପଂଚାୟତରେ ତା ୨୦.୧୧.୨୦୨୦ରିଖ ଦିନ ଗ୍ରାମ ପଂଚାୟତସ୍ତରୀୟ ଟାସ୍କ୍ ଫୋର୍ସ ଓ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ବ୍ଲକ୍, ପଂଚାୟତ, ଚାଇଲଡ୍ ଲାଇନ୍, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏହି ବୈଠକମାନଙ୍କରେ ସଦସ୍ୟ/ସଦସ୍ୟାମାନେ ବାଲ୍ୟବିବାହ ରୋକିବା ନିମନ୍ତେ ସାମୁହିକ ଶପଥ ନେଇଥିଲେ । ଏତଦ୍ବ୍ୟତୀତ ଉକ୍ତ ବୈଠକମାନଙ୍କରେ ଶିଶୁ ସୁରକ୍ଷା ଓ ଶିଶୁ ବିକାଶ, ଶିଶୁ ଚାଲାଣ ଇତ୍ୟାଦି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦେବାଙ୍ଗନା ବାରିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twenty − seven =