ଖଣିଜ ପରିବହନ କରୁଛି : ଡମ୍ପର ପରିବର୍ତ୍ତେ ହାଇୱା

ଯୋଡ଼ା : ଯୋଡା ଖଣିମଣ୍ଡଳ ଅଧୀନ ହେଁସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ ଖଣିରେ ଖଣିଜ ପରିବହନରେ ଡମ୍ପର ପରିବର୍ତ୍ତେ ହାଇୱା ଟ୍ରକ ଚଳାଚଳକୁ ବିରୋଧ କରି ମାଇନିଂ ଏରିଆ ଟ୍ରକ ମାଲିକ ସଂଘ (ମାଟୋଆ) ପକ୍ଷରୁ କାସଭି ଖଣି ଲିଜ ପରିସରରେ ଧାରଣା ଦିଆଯାଇଥିବା ଖବର ହସ୍ତଗତ ହୋଇଛି । ଦୀର୍ଘ ୨୫ ବର୍ଷରୁ ଉଦ୍ଧ୍ୱର୍ ଏହି ଟ୍ରକ ମାଲିକ ସଂଘ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଟ୍ରକକୁ ନେଇ ଗଠନ କରାଯାଇଛି । ଏଥିରେ ୨୮୦୦ ସଦସ୍ୟ ଓ ଡମ୍ପର ପ୍ରାୟ ୪୫୦୦ରୁ ଉଦ୍ଧ୍ୱର୍ ସଂଘରେ ଅଛନ୍ତି । ଖଣି ନିଲାମ ପ୍ରକ୍ରିୟାରେ ନୂତନ ଭାବେ ଖଣି ଲିଜ୍ ପାଇଥିବା ହେଁସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ କମ୍ପାନୀ ଖଣି କାର୍ଯ୍ୟ ଆରମ୍ଭ କରିବା ପରେ ଖଣିଜ ପରିବହନ କାର୍ଯ୍ୟ ପାଇଁ ସ୍ଥାନୀୟ ଟ୍ରକ ମାଲିକ ସଂଘକୁ ନଜଣାଇ ବାହାର ଅଞ୍ଚଳର ୧୪ ଓ ୧୬ ଚକିଆ ବିଶିଷ୍ଟ ହାଇୱା ଟ୍ରକ ଯୋଗେ ପରିବହନ କରୁଥିବା ଜାଣିପାରି ସଂଘର ସଦସ୍ୟ ମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସ୍ଥାନୀୟ ଡମ୍ପର ଗୁଡିକୁ ଖଣିର ଖଣିଜ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଖଣି କର୍ତ୍ତୃପକ୍ଷ ଏହାକୁ ହେୟଜ୍ଞାନ କରି ହାଇୱା ଟ୍ରକ ଯୋଗେ ପରିବହନ କାର୍ଯ୍ୟକୁ ଅନବରତ ଜାରି ରଖିଛନ୍ତି ବୋଲି ମାଟୋଆ ସଂଘର ସଭାପତି ଚତୁର୍ଭୁଜ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପୁନର୍ବାର ସଂଘ ପକ୍ଷରୁ ଏନେଇ ଖଣି କର୍ତ୍ତୃପକ୍ଷ,ସ୍ଥାନୀୟ ଯୋଡା ଓ ବାମେବାରୀ ପୋଲିସ ଏବଂ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଫଳରେ କାର୍ଯ୍ୟହରା ହୋଇଥିବା ଡମ୍ପର ମାଲିକ ମାନେ ପ୍ରଶାସନକୁ ଜଣାଇ କୋଭିଡ-୧୯ ନିୟମକୁ ପାଳନ କରି ଧାରଣା ଦେବାର ନିଷ୍ପତ୍ତି ନେଇ ସୋମବାର ପୂର୍ବାହ୍ନରେ ଖଣି ଲିଜ ପରିସର ଭିତରେ ଧାରଣାରେ ବସିଛନ୍ତି । ପୂର୍ବରୁ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ । ମାତ୍ର ଖଣି ଗୁଡିକ ସମ୍ପୂର୍ଣ୍ଣ ଯାନ୍ତ୍ରିକ କରିବା ପରେ ଶ୍ରମିକ ଛଟେଇ ହୋଇ କାର୍ଯ୍ୟହରା ହେଲେ । ଜମିବିକି ଋଣ କରି ଡମ୍ପର କ୍ରୟ କରି ଖଣିର ପରିବହନ କାର୍ଯ୍ୟରେ ନିୟୋଜିତ କରି ନିଜର ଜିବୀକା ନିର୍ବାହ କରୁଥିଲେ । ମାତ୍ର ନୂତନ ଲିଜ୍ ପାଇଥିବା ଖଣି ଲିଜଧାରୀ ମାନେ ଡମ୍ପର ସଂଘକୁ ବେଖାତିର କରି ଡମ୍ପର ପରିବର୍ତେ ୧୪ ଓ ୧୬ ଚକ ବିଶିଷ୍ଟ ବାହାର ଅଂଚଳର ହାଇୱା ଟ୍ରକକୁ ପରିବହନ କାର୍ଯ୍ୟ ଦେଉଛନ୍ତି । ଯାହାଫଳରେ ଡମ୍ପର ଗୁଡିକ କାର୍ଯ୍ୟହରା ହେଉଛନ୍ତି ବୋଲି ସଂଘର ସମ୍ପାଦକ ସତ୍ୟପ୍ରିୟ ବାରିକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ଟ୍ରକ ମାଲିକଙ୍କର ଦାବି ପ୍ରତି ଦୃଷ୍ଟି ନଦେଲେ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦିଆଯିବ ବୋଲି ସମ୍ପାଦକ ସତ୍ୟପ୍ରିୟ ବାରିକ ପ୍ରକାଶ କରିଛନ୍ତି । ଗୋଟିଏ ପକ୍ଷରେ ବହୁମୂଲ୍ୟ ପ୍ରଦାନ କରି ସରକାରୀ ନିଲାମ ହାତେଇଥିବା ଖଣି ମାଲିକ ମାନେ ଖଣିଜର ମାନରେ ହେରଫେର କରି ଲାଭବାନ ହେବା ଆଶା ଖଣି ବିଭାଗର ଯାଞ୍ଚ ପରେ ଫସର ଫାଟିଯିବାରୁ ବର୍ତ୍ତମାନ ଏହି କମ୍ପାନୀ ମାନେ ଲୁହାପଥର ପରିବହନ କାରବାରକୁ ଏକଚାଟିଆ କରିବା ଓ ଖଣିରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ନଦେଇ କିପରି ମୁନାଫା ଅଧିକ ହେବ ଏନେଇ ନିଜର କୌଶଳ ଅବଲମ୍ବନ କରୁଛନ୍ତି ।

Leave A Reply

Your email address will not be published.

20 + two =