ଭୁବନେଶ୍ୱର,: କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହିତ ଖରିଫ ଫସଲ ଋଣ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଳିତ ଖରିଫରେ ସମବାୟ ମାଧ୍ୟମରେ ଫସଲ ଋଣ ଯୋଗାଣ, ପ୍ୟାକ୍ସ ଜରିଆରେ ସାର ଓ ବିହନ ଆଦି ଯୋଗାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ୍-୧୯ ସ୍ଥିତିରେ କୃଷି କାର୍ଯ୍ୟ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରୁଥିବାବେଳେ ଚାଷୀମାନେ କିପରି ସହଜରେ ଓ ନିର୍ବିଘ୍ନରେ କୃଷି ସାମଗ୍ରୀ ପାଇପାରିବେ ସେଥିପ୍ରତି ସଂପୃକ୍ତ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ କହିଥିଲେ । ସାର ଓ ବିହନ ଯେପରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇପାରିବ, ସେଥି ନିମନ୍ତେ ଆଗୁଆ ପଦକ୍ଷେପ ସହିତ କୃଷି ବିଭାଗ ଓ ସାର ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଲକ୍ଡାଉନ୍ ସମୟରେ ରାଜ୍ୟ ସରକାର କୃଷି ସାମଗ୍ରୀ ବିକ୍ରି ନିମନ୍ତେ କୌଣସି କଟକଣା ରଖି ନଥିବା ପରିପ୍ରେକ୍ଷୀରେ କୋଭିଡ୍ ନିୟମାବଳୀ ଅନୁପାଳନପୂର୍ବକ କୃଷି ସାମଗ୍ରୀ ଚାଷୀଙ୍କ ନିକଟରେ ପହଂଚାଇବା ପାଇଁ କହିଥିଲେ । ରାଜ୍ୟରେ ଚାଷୀମାନଙ୍କୁ ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଚଳିତ ଖରିଫରେ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।