ଡାବୁଗାଁ: ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲାରାପତରିଆ ବାଘ ଦୃଶ୍ୟମାନ ହୋଇଥିବା ବେଳେ ଉକ୍ତ ଘାଟି ଅଂଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସକାଳ ପ୍ରାୟ ୮ ଘଂଟ ସମୟରେ ନବଙ୍ଗପୁର ଜିଲ୍ଲା ଡାବୁଗାଁ ବନାଂଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ନିକଟ ଏକ ଜମି ମଧ୍ୟରେ ଥିବା ଗାତରେ ଏକ ହେଟାବାଘ ଦୃଶ୍ୟମାନ ହେବାପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ହେଟାବାଘକୁ ଉଦ୍ଧାର କରିବା ପାଇଁ ଡାବୁଗାଁ ବନାଂଚଳର ବନ କର୍ମଚାରୀ ମାନେ ଉକ୍ତ ଜମି ନିକଟ ଗାତ ପାଖରେ ଜଗି ରହିଛନ୍ତି । ଖବର ଲେଖାହେବା ସୁଦ୍ଧା ବନ ବିଭାଗ କର୍ମଚାରୀମାନେ ହେଟାବାଘକୁ କାବୁ କରି ନାହାନ୍ତି । ସୂଚନା ଅନୁଯାୟୀ ସକାଳ ପ୍ରାୟ ୮ ଘଂଟା ସମୟରେ ଡାବୁଗାଁ ବନାଂଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଜଣେ ଗାଈ ଚରାଳୀ ଗ୍ରାମ ନିକଟ ଜମି ପାଖରେ ଗାଈ ଚରାଇବାକୁ ଯାଇଥିବା ସମୟରେ ଏକ ହେଟାବାଘ ଜମି ମଧ୍ୟରେ ଥିବା ଏକ ଗାତରେ ଫସି ରହି ଥିଲା । ଏବଂ ସେଥି ମଧ୍ୟରୁ ବାହାରି ପାରି ନ ଥିଲା । ଗାଇ ଚରାଳି ହେଟାବାଘକୁ ଦେଖିବା ପରେ ଭୟଭୀତ ହୋଇ ଗ୍ରାମରେ ଯାଇ ଲୋକଙ୍କୁ ଏ ବିଷୟରେ କହିଥିଲା । ହେଟାବାଘ ଜମି ଭିତର ଗାତରେ ଥିବା ଖବର ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଡାବୁଗାଁ ବନ ଖବର ଦେଇଥିଲେ । ଡାବୁଗାଁ ବନାଂଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗୋ ଓ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗାତ ମଧ୍ୟରେ ପ୍ରକୃତରେ ହେଟାବାଘ ଅଛି ନା ଅନ୍ୟ କୌଣସି ଜନ୍ତୁ ଅଛି ତାହା ଜଣା ପଡି ନ ଥିବା ବେଳେ ବନ କର୍ମଚାରୀ ଗାତ ନିକଟରେ ଜନ୍ତୁକୁ ଉଦ୍ଧାର କରିବା ପାଇଁ ଜଗି ରହିଛନ୍ତି । ଖବର ଲେଖା ହେବା ସୁଦ୍ଧା ଗାତ ମଧ୍ୟରୁ କୌଣସି ଜନ୍ତୁ ଉଦ୍ଧାର ହୋଇ ନ ଥିବା ବେଳେ କେନ୍ଦୁଗୁଡ଼ା ଓ ନିକଟ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।