ଯାଜପୁର,୧୮.୬ (ନି.ପ୍ର) : ପୂର୍ବ ଯାଜପୁର ଜନସାଧାରଣଙ୍କ ଜୀବନ ରେଖା କୁହାଯାଉଥିବା ୨୦ନଂ ଜାତୀୟ ରାଜପଥ ମରାମତି ଅଭାବରୁ ଏବେ ଅତି ଶୋଚନୀୟ ଅବସ୍ଥାକୁ ଚାଲି ଆସିଛି । ଦୟନୀୟ ଅବସ୍ଥାରେ ଥିବା ଏହି ରାଜପଥରେ ସାଇକେଲ ଓ ବାଇକ ଆରୋହୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଯାତ୍ରୀ ଦିନ ବେଳା ଯା ଆସ କରିବାକୁ ମଧ୍ୟ ସୁରକ୍ଷିତ ମଣୁନାହାଁନ୍ତି । ଘରୁ ବାହାରିଲେ ସୁରକ୍ଷିତ ଭାବେ ଘରକୁ ଫେରିବେ କି ନାହିଁ ତାକୁ ନେଇ ଘର ଲୋକଙ୍କ ଚିନ୍ତା ବଢି ଯାଉଛି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ ଦୁର୍ଘଟଣାର ଶିକାର ହେବାକୁ ପଡୁଥିବା ସାଧାରଣରେ ଅଭିଯୋଗ ହେଉଛି । ପୂର୍ତବିଭାଗ ଠାରୁ ଏହି ବ୍ୟସ୍ତ ବହୁଳ ରାସ୍ତାଟିକୁ ଜାତୀୟ ରାଜପଥ କର୍ତୁପକ୍ଷଙ୍କୁ ହସ୍ତାନ୍ତରର ଢେର ବର୍ଷ ବିତି ଯାଇଥିଲେ ହେଁ ରାସ୍ତା ନିର୍ମାଣ ତ ଦୂରର କଥା ଏହାର ଉପଯୁକ୍ତ ମରାମତି ଦିଗରେ ଜାତୀୟ ରାଜପଥ କର୍ତୁପକ୍ଷଙ୍କ ଉଦାସୀନତା ମନୋଭାବ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଯାଜପୁର ଜିଲ୍ଲାର ସୀମାନ୍ତ ଅଂଚଳ କୟାଁଗୋଲା ଠାରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ଏହି ୩୫ କିଲୋମିଟର ବ୍ୟାପ୍ତ ରାସ୍ତାରେ ଦୈନିକ ଯାଜପୁର, ଦଶରଥପୁର, ବିଂଝାରପୁର, ଭଦ୍ରକ, ଧାନମଣ୍ଡଳ ଓ କେନ୍ଦ୍ରାପଡା ବ୍ଲକ ସମେତ ବିଭିନ୍ନ ଅଂଚଳର ହଜାର ହଜାର ଜନସାଧାରଣ ଜା ଆସ କରିଥାନ୍ତି । ବିଶେଷ କରି ପୂର୍ବ ଯାଜପୁର ତଥା ଦଶରଥପୁର ବ୍ଳକ ଅର୍ନ୍ତଗତ ୩୫ଟି ପଂଚାୟତ ବାସି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପଂଚାୟତ ସମିତି କାର୍ଯ୍ୟାଳୟ, ତହସିଲ, ସ୍କୁଲ, କଲେଜ, କୋର୍ଟ କଚେରୀ, ମେଡିକାଲ, ବ୍ୟାଙ୍କ ଓ ହାଟ ବଜାରରେ କାରବାର କରିବାକୁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହା ବାଦ୍ ଏହି ରାସ୍ତା ଦେଇ ଶତାଧିକ ଯାତ୍ରୀବାହୀ ଯାନବାହାନ ଓ ମାଲ ବୋଝେଇ ଭାରିଯାନ ଯାତାୟତ କରୁଥିବା ବେଳେ ରାସ୍ତାଟି ସଦାସର୍ବଦା ଗହଳି ପୂର୍ଣ୍ଣ ରହିଥାଏ । ଦୀର୍ଘ ଦୀନ ହେବ ଉକ୍ତ ରାସ୍ତାଟି ଉପଯୁକ୍ତ ମରାମତି ଅଭାବରୁ ରାସ୍ତାରୁ ପିଚୁ ବଜୁରି ଉଠି ଖାଲ ଖମାରେ ଭରି ପଡିଥିବା ବେଳେ ବଡ ବଡ ଗର୍ତ ଗୁଡିକର ଆକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ହେତୁ ଦୈନିକ ଦୁର୍ଘଟଣା ଘଟି ଅନେକ ନିରିହ ଜୀବନ ହାନି ହେଉଥିଲେ ହେଁ ଜାତୀୟ ରାଜପଥ କର୍ତୁପକ୍ଷଙ୍କ ଜନସାଧାରଣଙ୍କ ଜୀବନ ପ୍ରତି ବେପରୁଆ ମନୋଭାବ ପ୍ରଦର୍ଶନ ସମସ୍ତଙ୍କୁ ଉତ୍କ୍ଷିପ୍ତ କରିଛି । ଏପରିକି ରାସ୍ତା ଅର୍ନ୍ତଗତ ଦୁବକଣ ଛକ ଠାରୁ କୟାଁଗୋଲା ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ ଅନାବନା ଗଛଲତାରେ ଭର୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିବା ବେଳେ ଘଂଚ ଗଛ ଲତା ଆଡୁଆଳରେ ବିଭିନ୍ନ ହିଂସ୍ର ଜନ୍ତୁ ଓ ସରିସୃପ ପାଦଚଲା ଲୋକଙ୍କ ପାଇଁ ଭୟର କାରଣ ପାଲଟିଛି । ଏ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ନିଜ ଦୋଷ ଘୋଡାଇବାକୁ ଯାଇ ଜାତୀୟ ରାଜପଥ କର୍ତୁପକ୍ଷ ୩୫ କି.ମି ବ୍ୟାପ୍ତ ଏହି ରାସ୍ତାର ଗୋଟିଏ ଦୁଇଟି ଗର୍ତକୁ ଦାୟିତ୍ୱହୀନ ଭାବେ ତାଳି ପକା ମରାମତି କରି ଚୁପ୍ ବସିଛି । ପୂର୍ତବିଭାଗ ଠାରୁ ରାଜପଥ ବିଭାଗକୁ ହସ୍ତାନ୍ତର ପରେ ଏହି ରାସ୍ତା ପୂର୍ବ ଯାଜପୁର ଜନତାଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ଏବେ ସ୍ୱପ୍ନରେ ପରିଣତ ହୋଇଛି । ତୁରନ୍ତ ଜାତୀୟ ରାଜପଥ କର୍ତୁପକ୍ଷ ବ୍ୟସ୍ତବହୁଳ ଏହି ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।