ଖୁବଶୀଘ୍ର ଗଡିବ ଆଉ ୨ଶହ ‘ମୋ ବସ୍’

ଭୁବନେଶ୍ୱର : ‘ମୋ ବସ୍’କୁ ନେଇ ରହିଥିବା ଆପତ୍ତି/ପ୍ରସ୍ତାବ ଉପରେ ଆଜି ଘମାଘୋଟ ଆଲୋଚନା ହୋଇଛି । ପ୍ରଥମ ଥର ପାଇଁ କ୍ରୁଟ୍ ଏମ୍ଡି ଅରୁଣ ବୋଥ୍ରା ଟ୍ୱିଟରରେ ‘ମୋ ବସ୍’ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରାୟ ଦେଢ଼ଘଣ୍ଟାର ଆଲୋଚନାରେ ୫୦ରୁ ଊର୍ଦ୍ଧ୍ୱ ପ୍ରଶ୍ନର ସେ ଉତ୍ତର ରଖିଥିବା ବେଳେ ୧୨ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏହି ଲାଇଭ୍ କାର୍ଯ୍ୟକ୍ରମରେ ୮୦୬ ଜଣ ଅଂଶଗ୍ରହଣ କରିଥିଲେ । ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ବେଶ୍ ଉତ୍ସାହିତ ଥିବା ଦେଖାଯାଇଥିଲା । ଏଭଳି ଏକ କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ କରିବା ପାଇଁ ସମସ୍ତେ ଅନୁରୋଧ କରିବା ସହ ଶ୍ରୀ ବୋଥ୍ରା ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଆଜି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାହାରେ ଛିଡ଼ା କରି ଟିକେଟ୍ କାଟିବା, ୟୁପିଆଇ ପେମେଣ୍ଟ ଗ୍ରହଣ କରିବା, ଭିଡ଼ କମାଇବା ଓ ଅପହଞ୍ଚ ଅଞ୍ଚଳରେ ମୋ ବସ୍ ଗଡ଼ାଇବା ପ୍ରସଙ୍ଗରେ ଆଲୋଚନା ହେବା ସହ ଆଗକୁ ଏହା ଉପରେ ପଦକ୍ଷେପ ନିଆଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି ।
ପ୍ରାରମ୍ଭରେ ଶ୍ରୀ ବୋଥ୍ରା ସୂଚନା ଦେଇଥିଲେ, ୨୦୧୮ ମସିହା ଯେତେବେଳେ ମୋ ବସ୍ ସେବା ଆରମ୍ଭ ହେଲା ସେତେବେଳ ଠାରୁ ମୋ ବସ୍ ଭଡ଼ା ବଢ଼ି ନାହିଁ । କିନ୍ତୁ ୨ଶହ ବସ୍ ରୁ ଏବେ ସଂଖ୍ୟା ବଢ଼ି ବଢ଼ି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୪୦୫ ବସ୍ ଚାଲୁଛି । ଆଉ ୨୦୦ ଇ-ବସ୍ ଆସୁଛି । ଅର୍ଥାତ୍ ଜୁଲାଇ ଶେଷ ସୁଦ୍ଧା ଏହି ଅଞ୍ଚଳରେ ୬୦୫ ମୋ ବସ୍ ହୋଇଯିବ । କ୍ରମେ ଭୁବନେଶ୍ୱରରେ ସମସ୍ତ ବସ୍ ଇ-ବସ୍ କରିବା ପାଇଁ ଲକ୍ଷ୍ୟ ରହିଛି । ଫଳରେ ପ୍ରଦୂଷଣ ହେବ ନାହିଁ । କଟକ, ପୁରୀ, ଖୋର୍ଦ୍ଧା, ରାଉରକେଲାକୁ ମୋ ବସ୍ ଚାଲୁଛି । ଖୁବଶୀଘ୍ର ବ୍ରହ୍ମପୁର ଓ ସମ୍ବଲପୁରରେ ଚାଲିବା ପାଇଁ ଯୋଜନା ହେଉଛି । ଏବେ ଦୈନିକ ୨.୧୬ ଲକ୍ଷ ଯାତ୍ରୀ ମୋ ବସ୍ ବ୍ୟବହାର କରୁଛନ୍ତି । ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିବ ବୋଲି ସେ ଆଶା କରିଛନ୍ତି । ଲାଭ ଲକ୍ଷ୍ୟରେ ନୁହେଁ ବରଂ ସେବା ଲକ୍ଷ୍ୟରେ ମୋ ବସ୍ ଚାଲିଛି । ଲଗାତାର ଏହି ସେବା ପାଇଁ କ୍ରୁଟ୍ ୟୁଏମ୍ଆଇ ପୁରସ୍କାର ଜିତିଥିବା ସେ ସୂଚନା ଦେଇଥିଲେ । ୟୁପିଆଇ ପେମେଣ୍ଟ ନ ଥିବାରୁ ଅନେକ ଯାତ୍ରୀ ଖୁଚୁରା ଦେବାରେ ସମସ୍ୟା ଭୋଗୁଛନ୍ତି । ଆମେ ଜୁଲାଇ ଶେଷ ସୁଦ୍ଧା ଏହି ପେମେଣ୍ଟ ବ୍ୟବସ୍ଥା ଆପଣେଇବୁ ଏବଂ ଏକ ସ୍ୱତନ୍ତ୍ର ପ୍ରି ପେଡ୍ କାର୍ଡ ପ୍ରଚଳନ କରିବୁ । ପୂର୍ବରୁ ଥିବା ସମସ୍ତ କାର୍ଡକୁ ଏଥିରେ ମିଶାଇ ଦିଆଯିବ । ଏ ନେଇ ଯାତ୍ରୀଙ୍କୁ ଖୁବଶୀଘ୍ର ସୂଚନା ଦିଆଯିବ । ବାହାରେ ଛିଡ଼ା କରି ଟିକେଟ୍ କାଟିବାକୁ ନେଇ ଅନେକ ଅଭିଯୋଗ ରହିଛି । ଅନେକ ଯାତ୍ରୀ ଟିକେଟ୍ ନ କରି ଯାତ୍ରା କରିବାରୁ ଏଭଳି କରାଯାଇଛି । ଏଭଳି କରିବା ଦ୍ୱାରା ଶତ ପ୍ରତିଶତ ଟିକେଟ୍ ନିଶ୍ଚିତ କରାଯାଇ ପାରିଛି । କିନ୍ତୁ ଯାତ୍ରୀଙ୍କୁ ସମସ୍ୟା କରୁଥିବାରୁ ଏହା ଉପରେ ଆମେ ସମୀକ୍ଷା କରୁଛୁ ବୋଲି ଶ୍ରୀ ବୋଥ୍ରା କହିଥିଲେ ।
କ୍ୟାପ୍ଟେନ୍ (ମୋ ବସ୍ ଚାଳକ) ଓ ଗାଇଡ୍ (କଣ୍ଡକ୍ଟର)ମାନଙ୍କର ଆଚରଣକୁ ନେଇ ଅଭିଯୋଗକୁ ଶ୍ରୀ ବୋଥ୍ରା ସ୍ୱୀକାର କରିଥିଲେ ବି ଅନେକ ସମୟରେ ଅଯଥାରେ ଦୋଷାରୋପ କରାଯାଉଛି ବୋଲି ସେ କହିଥିଲେ । ତାଙ୍କ କହିବା ଅନୁଯାୟୀ ଅନ୍ୟର ଭୁଲ୍ ପାଇଁ ଦୁର୍ଘଟଣା ଘଟୁଥିଲେ ବି ମୋ ବସ୍ ଚାଳକ ଦୋଷାରୋପ ହେଉଛି । ଦୋଷ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Leave A Reply

Your email address will not be published.

thirteen − three =