ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ ସେକ୍ସନ ନିରୀକ୍ଷଣ
● ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ |
● ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି |
ଭୁବନେଶ୍ୱର : ପୂର୍ବତଟ ରେଳପଥ (ଇକୋଆର) ର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଇତିମଧ୍ୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ବୌଦ୍ଧ ମଧ୍ୟରେ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ନିର୍ମାଣାଧୀନ ରେଳ ଲାଇନ ସେକ୍ସନକୁ ନିରୀକ୍ଷଣ କରିଛନ୍ତି | ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |ନିରୀକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ | ଜନକୈନ୍ଦ୍ରିକ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ଉଭୟ ପଶ୍ଚିମ ଓ ଉପକୂଳ ଓଡିଶାକୁ ସଂଯୋଗ କରିବା ସହିତ ଦୁର୍ଗମ ଅଞ୍ଚଳ ଜିଲ୍ଲା ମାନଙ୍କୁ ମଧ୍ୟ ସେବା ଯୋଗାଇବ ଯାହାର ନିର୍ମାଣ କାର୍ଯ୍ୟ ନିଜେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କର ତୀକ୍ଷ୍ଣ ନଜରରେ ରଖାଯାଇଥିବା ପ୍ରକଳ୍ପ ଗୁଡିକର ଏକ ଅଂଶ |ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟ ସମ୍ପାଦନ ହୋଇସାରିଛି ଏବଂ ଏହା ରେଳ ସେବା ଦ୍ୱାରା ଯାତ୍ରୀ ମାନଙ୍କୁ ସୁବିଧା ପ୍ରଦାନ କରାଯାଇଅଛି | ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରଖିଛି |ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବାଲାଙ୍ଗୀରରୁ ସୋନେପୁର ପର୍ଯ୍ୟନ୍ତ 47 କିମି କାର୍ଯ୍ୟ ସମାପ୍ତ ହୋଇସାରିଛି | ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 73 କିମି ଦୈର୍ଘ୍ୟ ନୂତନ ରେଳପଥର କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବାବେଳେ ଆସନ୍ତା ଦୁଇମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ରଖାଯାଇଅଛି | ଅବଶିଷ୍ଟ ରେଳପଥ ନିର୍ମାଣ କାର୍ଯ୍ୟ ଅର୍ଥାତ୍ ଦଶପଲ୍ଲା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ 75 କିଲୋମିଟରର ନିର୍ମାଣ କାର୍ଯ୍ୟ ଡିସେମ୍ବର 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶା କରାଯାଉଛି |