ଗଞ୍ଜାମ ଜିଲ୍ଲାରେ ୧୬,୫୧୫ ଏଡସ୍ ରୋଗୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬,୫୧୫ ଜଣ ଏଡସ୍ ଆକ୍ରାନ୍ତ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ ନମ୍ବର ସ୍ଥାନରେ ରହିଛି । ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ ହଜାର ୫୧୫ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍ସ ସେଲ୍ ସୂତ୍ରରୁ ପ୍ରକାଶ । ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍ସ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ଏଡ୍ସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ, ହୋଡର୍ତିଂ, ଗଣମାଧ୍ୟମ ଜରିଆରେ ସଚେତନ କରାଯାଉଛି । ସେହିପରି ପ୍ରତିବର୍ଷ ଏଡ୍ସ ଦିବସରେ ରାଲି, ସଭା ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି । ଏପରିକି ବିଭିନ୍ନ ଦୁର୍ଗମ ଇଲାକାରୁ ଏଚ୍ଆଇଭି ଆକ୍ରାନ୍ତ ଔଷଧ ନେବା ପାଇଁ ଡାକ୍ତରଖାନାକୁ ଆସିପାରି ହୋଇଛି । ଗତ ୨୦୦୦ରୁ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୧୩ ଲକ୍ଷ ୯୬ ହଜାର ୧୯୯ ଜଣଙ୍କୁ କାଉନ୍ସେଲିଂ କରାଯାଇ ୧୨ ଲକ୍ଷ ୩୭ ହଜାର ୩୩୭ ଜଣଙ୍କ ଏଚ୍ଆଇଭି ପରୀକ୍ଷା କରାଯାଇଛି । ତନ୍ମଧରୁ ମୋଟ ୧୬ ହଜାର ୫୧୫ ଜଣଙ୍କ ରକ୍ତ ନମୁନା ଏଚ୍ଆଇଭି ପଜିଟିଭ ଆସିଥିବା ଏଡ୍ସ ସେଲ୍ ତରଫରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ ଗର୍ଭବତୀ ଏଡ୍ସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୯୨୯ ରହିଛି । ଗଞ୍ଜାମ ଜିଲ୍ଲାର ୧୭ଟି ବ୍ଲକରେ ଏଡ୍ସ ରୋଗୀଙ୍କ ସଂଖ୍ୟା ୫ ଶହରୁ ଅଧିକ ରହିଛି । ପୋଲସରା ବ୍ଲକରେ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ସର୍ବାଧିକ ୧୨ ଶହ ୪୫ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସିକାରେ ୧୧୪୩, ବେଗୁନିଆପଡ଼ାରେ ୧୧୨୨, ପୁରୁଷୋତମପୁରରେ ୧୦୫୯, ଖଲ୍ଲିକୋଟରେ ୮୮୨, ହିଂଜିଳିକାଟୁରେ ୭୯୬, କବିସୂର୍ଯ୍ୟନଗରରେ ୭୫୩, ବେଲଗୁଣ୍ଠାରେ ୬୯୯, ଶେରଗଡ଼ରେ ୬୬୫, ଭଂଜନଗରରେ ୫୯୩, ରଂଗେଇଲୁଣ୍ଡାରେ ୫୮୪, ବୁଗୁଡ଼ାରେ ୫୪୫, ଛତ୍ରପୁରରେ ୫୪୨, ଦିଗପହଣ୍ଡରେ ୫୪୮, ଧରାକୋଟରେ ୫୧୨, ସାନଖେମୁଣ୍ଡିରେ ୫୩୫ ଜଣ ରୋଗୀ ଓ ବ୍ରହ୍ମପୁର ମହାନଗରରେ ୮୭୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।