ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରେ ଏୟାରପୋଟ୍ ଥାନା ଅର୍ନ୍ତଗତ କାରଗିଲ ବସ୍ତିରେ ଗତ ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ପତ୍ନୀକୁ ହାତୁଡିରେ ମୁଣ୍ଡ ଓ ମୁହଁକୁ ପିଟି ପିଟି ସ୍ୱାମୀ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରିକି ମଧ୍ୟ ମୃତ ପତ୍ନୀର ହାତଗୋଡ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିବାହ ପରଠାରୁ ୭ ମାସ ହେଲା ଯୌତୁକ ବିବାଦରେ ଦେଢ ଲକ୍ଷ ଟଙ୍କା ଦାବି କରି ଆସୁଥିବା ସ୍ୱାମୀ ଶେଷରେ ପାଲଟିଗଲା ପିଶାଚ । ମୃତ ମହିଳା ଶକୁନ୍ତଳା ମାଝି (୨୫) । ପୋଲିସ ଅଭିଯୁକ୍ତ ସ୍ୱାମୀ ମୁରଲୀଧର ବେହେରା (୩୦)କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ଅଧିକ ଛାନବିନ ଜାରି ରଖିଛି ।
ସୂଚନାଅନୁଯାୟୀ, ୭ମାସ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମୁରଲଈ ଓ ଶକୁନ୍ତଳାଙ୍କ ମଧ୍ୟରେ ଯୌତୁକ ବାବଦ ଦେଢ ଲକ୍ଷ ଟଙ୍କାକୁ ନେଇ ସବୁବେଳେ ଗଣ୍ଡଗୋଳ ହେଉଥିଲା । ଆଜି ସନ୍ଧ୍ୟାରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ମୁରଲୀ ନିଜ ରୁମକୁ ଭିତରୁ ବନ୍ଦ କରି ଶକୁନ୍ତଳାଙ୍କୁ ପିଟିଥିଲା । ଏକ ହାତୁଡିରେ ତାଙ୍କ ମୁଣ୍ଡ ଓ ମୁହଁକୁ ନୃଶଂସ ଭାବେ ପିଟି ପକାଇଥିଲା । ଚଟାଣ ଉପରେ ରକ୍ତ ଜୁଡୁବୁଡୁ ଅବସ୍ତାରେ ଛଟପଟ ହେବା ପରେ ଶକୁନ୍ତଳା ଶେଷରେ ଆଖି ବୁଜି ଦେଇଥିଲେ । ମୁରଲୀଙ୍କ ରୁମ୍ ଭିତରୁ ଶକୁନ୍ତଳାଙ୍କ ଆର୍ତ ଚିତ୍କାର ଶୁଭୁଥିଲେ ମଧ୍ୟ ବଡଭାଇ ପାଣ୍ଡବ, ତାଙ୍କ ସ୍ତ୍ରୀ ଓ ମା’ ମଞ୍ଜୁ କିଛି କରି ପାରିନଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ କବାଟ ଭାଙ୍ଗିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଘର ଭିତରୁ ରକ୍ତର ସୁଅ ବହି କବାଟର ତଳ ଫାଙ୍କ ଦେଇ ବାହାରକୁ ଆସିବା ଦେଖିବା ପରେ ସେମାନେ ବିଚଳିତ ହୋଇ ପଡିଥିଲେ । ତେଣୁ ବଡ ଭାଇ ପାଣ୍ଡବ ଓ ମା’ ମଞ୍ଜୁ ବଡ ପାଟିରେ ପଡୋଶୀମାନଙ୍କୁ ଡାକ ପକାଇଥିଲେ । ଶକୁନ୍ତଳା ମରିଯିବା ପରେ ହଠାତ୍ ମୁରଲୀ କବାଟ ଖୋଲି ବାହାରକୁ ଦୌଡିଥିଲା । ମା’ ମଞ୍ଜୁ ଘର ଭିତରକୁ ପଶିବା ବେଳକୁ ଶକୁନ୍ତଳାଙ୍କ ମୃତଦେହ ଡ୍ରେସିଂ ଟେବୁଲ ପାଖରେ ପଡିଥିଲା । ପଡୋଶୀମାନଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଥାନା ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ପରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର ପହଞ୍ଚିଥିଲେ । କିଛି ସମୟ ପରେ ଡିସିପି ଉମାକାନ୍ତ ଦାଶ ମଧ୍ୟ ସେଠାରେ ପହଞ୍ଚିଥିଲେ । ସାଇଂଟିଫିକ୍ ଟିମ୍ ଉପସ୍ଥିତିାରେ ଶକୁନ୍ତଳାଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ହାତୁଡି ଜବତ କରିଛି । ପରେ ବସ୍ତି ଲୋକଙ୍କ ସହଯୋଗରେ ମୁରଲୀକୁ ଗିରଫ କରାଯାଇଥିଲା ।