ଭୁବନେଶ୍ୱର: ଏମିତି ଅନେକ ନଜିର ରହିଛି ଯେତେବେଳେ କି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଘଟଣାକ୍ରମେ ପୁଣି ଏହିପରି ଏକ ଘଟଣା ଆଖି ସାମ୍ନାକୁ ଆସିଛି । ଘଟଣାନୁଯାୟୀ ଗତ ଅଗଷ୍ଟ ୩୧ ତାରିଖ ଦିନ ସକାଳ ପାଖାପାଖି ୮.୨୫ରେ ୧୦୮ ସିଡିସିକୁ ଗଞ୍ଜାମ ଜିଲ୍ଲା ସୋରୋପଡ଼ା ଥାନା ଅଧିନସ୍ଥ ଗୋବିନ୍ଦପୁରର ମଣିଆଘାଟି ଛକ ଠାରେ ଏକ ବାଇକ ଦୁର୍ଘଟଣା ହୋଇଥିବା ନେଇ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ଧାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାଇଲଟ ସନ୍ତୋଷ ସାହୁ, ଇଏମଟି ପ୍ରଦୁ୍ୟଷ କୁମାର ମହାକୁଦ ଏବଂ ସହାୟକ ବଳରାମ ସାହୁ ତୁରନ୍ତ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଲେ । ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ କର୍ମଚାରୀମାନେ ଦେଖିବାକୁ ପାଇଲେ ଯେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି (୫୫ବର୍ଷ) ଜଣକ ମୁଣ୍ଡରେ ଗଭୀର ଆଘାତ ହେତୁ ସେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି । ଏହାପରେ ବ୍ୟକ୍ତିଜଣଙ୍କୁ କର୍ମଚାରୀମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ସିଡିଏସରେ ଭର୍ତି କରାଇଥିଲେ ।
ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଗୋଟିଏ ମୋବାଇଲ ଓ ନଗଦ ୫୦,୦୦୦ ଟଙ୍କା ମିଳିଥିଲାା ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ପୀଡ଼ିତଙ୍କ ଫୋନ ମାଧ୍ୟମରେ ତାଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗଯୋଗ କରିଥିଲେ ଏବଂ ସେମାନଙ୍କୁ ଭଞ୍ଜନଗର ଏସଡିଏଚରୁ ଆସି ଏହିସବୁ ସାମଗ୍ରୀ ନେଇଯିବା ପାଇଁ ଅନୁରୋଧ କରିଥିଲୋ ଏହାପରେ ଆମ୍ବୁଲାନ୍ସ କର୍ମୀମାନେ ଅଧଘଂଟାରୁ ଉଦ୍ଧ୍ୱର୍ ସମୟ ଅପେକ୍ଷା କରିବା ପରେ ପୀଡ଼ିତ ବ୍ୟକ୍ତିଙ୍କ ଶଳା ଏଠାରେ ପହଂଚିଥିଲେ ଓ ଆମ୍ବୁଲାନ୍ସ କର୍ମୀମାନେ ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଦୁର୍ଘଟଣା ପୀଡ଼ିତଙ୍କ ଶଳାଙ୍କ ହାତକୁ ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲେ । ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଡାକ୍ତରଖାନା ସଦସ୍ୟଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନେ ତଥା ସଂଗଠନ ପକ୍ଷରୁ ଅନେକ ପ୍ରଶଂସିତ ହୋଇଛନ୍ତି ।