ଛେଣ୍ଡିପଦା: ଅନୁଗୁଳ ଜିଲାରେ ତିନିଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ପାହାଡ ପାଖ ଜଙ୍ଗଲ ଅଞ୍ଚଳରେ ଗୋଟିଏ ଗଛରେ ୩ଟି ମୃତଦେହ ଝୁଲୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ହତ୍ୟା କରି ସେମାନଙ୍କୁ ଟାଙ୍ଗି ଦେଇଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ପ୍ରାପ୍ୟ ସୂଚନା ଅନୁସାରେ, ବାଲିପାଟା ଗ୍ରାମର ଗାଈ ଚରାଳି ଡିମିରକୁଦା ଜଂଗଲର ଏକ ଗଛରେ ୩ଟି ଶବ ଝୁଲୁଥିବା ଦେଖି୍ବାକୁ ପାଇଥିଲେ । ରାତି ୯ଟା ବେଳେ ସ୍ଥାନୀୟ ଲୋକ ପହଞ୍ଚି ସମାନ ଦୃଶ୍ୟ ଦେଖିଥିଲେ । ଏହି ତିନିଜଣଙ୍କ ଭିତରେ ପୋଲସାବଣିଆ ଗ୍ରାମର ଏକ ପ୍ରେମୀଯୁଗଳ ଥିବା ଜଣାଯାଇଛି । ଉକ୍ତ ନାବାଳିକା ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ତାଙ୍କର ପ୍ରେମିକ କୁହାଯାଉଥିବା ଯୁବକ ଆଦିବାସୀ ସଂପ୍ରଦାୟର ହୋଇଥିବା ହେତୁ ଏନେଇ ନାବାଳିକାଙ୍କ ବାପା ଝିଅ ଉପରେ ବିରକ୍ତ ହେଉଥିଲେ । ଗତକାଲି ନାବାଳିକାଙ୍କର ବାପା ଝିଅର ଶୁଦ୍ଧିକ୍ରିୟା କରିସାରିଛନ୍ତି ।
ଖାଲି ସେତିକି ନୁହେଁ ଏହି ପ୍ରେମୀ ଯୁଗଳ ପ୍ରାୟ ୪ବର୍ଷ ତଳେ ଘରୁୂ ଫେରାର୍ ହୋଇଯାଇଥିଲେ । ସେତେବେଳେ ଏହି ମାମଲାର ସମାଧାନ ଥାନାରେ ହୋଇଥିଲା । ଏଣେ ପ୍ରେମିକର ସାଙ୍ଗର ମୃତ ଦେହ ବି ମିଳିଥିବା ହେତୁ ଏହା ପ୍ରେମ ତ୍ରିକୋଣ ବାଲି ବି ସନେ୍ଦହ ଉପୁଜିଛି । ସବୁଠାରୁ ବଡ କ୍ଥା ହେଲା ଯେ ଏମାନେ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି, ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।