ଗୋଟିଏ ରାତିରେ ୬ ଜାଗାରୁ ଚୋରି

ବାଲିକୁଦା ୨୧ା୬;(ନି.ପ୍ର.): ବାଲିକୁଦାରେ ମାତିଛନ୍ତି ଚୋର । ପୁଲିସକୁ ଏବେ ଚୋର ମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି । ମାତ୍ର ପୁଲିସର ଆଖିଦୃଷିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ଗାଁରେ ଚୋରୀ ହେଉଥିବା ଖବର ମିଳୁଥିବା ବେଳେ ଗତକାଲି ରାତିରେ ସିରିଏଲ ଚୋରୀ ହୋଇଛି । ଗୋଟିଏ ଗାଁରୁ ଗୋଟିଏ ରାତିରେ ୩ ଜଣଙ୍କ ଘରୁ ଚୋରୀ ହୋଇଥିବା ବେଳେ ଭୋଦା ଗାଁରୁ ଜଣେ ବ୍ୟକ୍ତିଙ୍କର ଏକ ପଲ୍ସର୍ ବାଇକ ଚୋରୀ ହୋଇଛି । ଅନ୍ୟ ପକ୍ଷରେ ଗତ ଦୁଇ ଦିନ ତଳେ ଥାନାରୁ ଦଳେ ପୁଲିସ ଭୋଦା ଗାଁ ଆଡକୁ ଯାଇଥିବା ବେଳେ ଜଣକୁ ସନେ୍ଦହରେ ଥାନାକୁ ଆଣି ଆସିଥିବା ଖବର ମିଳିଥିଲା । ମାତ୍ର ପରେ ତାକୁ ଛାଡି ଦିଆ ଯାଇଥିଲା । ଗତ ସପ୍ତାହକ ମଧ୍ୟରେ କାଳିଓ ପଂଚାୟତ ଭୋଦା ଗାଁରୁ ଦୁଇ ଜଣଙ୍କ ଘର କବାଟ ତାଡି ଚୋରୀ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣକ ଘରେ ଚୋର ମାନେ ୩ ଦିନ ଭିତରେ ଦୁଇ ଥର ପସି ଚୋରୀ କରିଥିବା ଜଣା ପଡିଥିଲା । ଗତକାଲି ରାତିରେ ମଧ୍ୟ ଏହି ଗାଁରେ ଚୋର ମାନେ ପ୍ରଦୀପ୍ତ ମହାରଣା ଓରଫ ବାବୁଆଙ୍କ ଘରେ ପସି ଘର ବାରଣ୍ଡାରେ ଥିବା ଓଆର୦୨ବିଏଲ ୭୬୦୮ ନମ୍ବର ବିଶିଷ୍ଟ କଳା ରଙ୍ଗର ଏକ ପଲସର ଚୋରୀ କରି ନେବାରେ ସଫଳ ହୋଇଛନ୍ତି । ଭୋଦା ଗାଁରୁ ବାରମ୍ବାର ଚୋରି ହେଉଥିବା ବେଳେ ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏ ବାବଦରେ ପୁଲିସରେ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ବାମଧ୍ୟ ହୋଇ ପଂଚାୟତର ମୁରବୀ ମାନେ ସ୍ତାନୀୟ ବିଧାୟକ ତଥା ଜଳ ସମ୍ପଦ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଗୁହାରି କରିଥିଲେ । ଏହାକୁ ନେଇ ମନ୍ତ୍ରୀ ଶ୍ରୀ ଦାସ ବାଲିକୁଦା ଥାନାଧିକାରି ସର୍ବେଶ୍ୱର ବେହେରାଙ୍କ ଉପରେ ମଧ୍ୟ ବିରକ୍ତ ହୋଇଥିଲେ । ସେହିପରି ଅଢଙ୍ଗା ପଂଚାୟତ ଖାଲେରୀ ଗାଁର ଦିଲ୍ଲୀପ ସ୍ୱାଇଁଙ୍କ ଘରେ ପସି ତାଙ୍କର ଏକ ଲୁହା ଆଲମାରିକୁ ଉଠାଇ ନେଇ ବାହାରେ ଭଙ୍ଗା ରୁଜା କରି ତହିଁରେ ଥିବା ଜିନିଷ ପତ୍ର ଚୋରୀ କରି ନେଇ ଯାଇଛନ୍ତି । ଅପରପକ୍ଷେ ଥାଇଳୋ ପଂଚାୟତ ଅରିଲୋ ଗାଁରୁ ଗତକାଲି ରାତିରେ ୩ ଜଣ ଓ ସେହି ପଂଚାୟତ ଜଙ୍ଗଲ ଗାଁରୁ ଜଣକ ଘରୁ ଚୋରୀ ହୋଇଛି । ଘଟଣାରେ ପୁଲିସ କାହାରିକୁ ଠାବ କରି ପାରି ନଥିବା ବେଳେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ଅରିଲୋ ଗାଁର ଈଶ୍ୱର ମଲ୍ଲିକ, ବାବାଜି ମଲ୍ଲିକ ଓ ରାମଚନ୍ଦ୍ର ପରିଡାଙ୍ଗ ଘରେ ଚୋର ମାନେ ପସି ଟଙ୍କା ସୁନା ଚୋରୀ କରି ନେଇଥିବା ବେଳେ ଜଙ୍ଗଲା ଗାଁର ରଞ୍ଜନ ଦାସଙ୍କ ଘରୁ ମଧ୍ୟ ଘରର ମୂଲ୍ୟବାନ ଜିନିଷ ମାନ ଚୋରି ହୋଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି । ସମସ୍ତ ଘରର କବାଟରେ ଲାଗିଥିବା ଜଞ୍ଜିର ଗୁଡିକୁ ଭାଙ୍ଗି ଚୋର ମାନେ ଘର ଭିତରେ ପସିଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.

twelve − nine =