ଭୁବନେଶ୍ୱର: ଓଡ଼ିଶା ସରକାର କୋଭିଡ୍-୧୯ ମୁକାବିଲା ପାଇଁ ଗ୍ରାମ ପଞ୍ଚାୟତସ୍ତରରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦେଇ ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ପ୍ରୟାସ କରୁଛନ୍ତି । ଦୀର୍ଘଦିନ ଧରି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ନିଯୁକ୍ତି ପାଇଁ ଦାବି କରି ଆସୁଛନ୍ତି । ଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀର ମହାସଂଗ୍ରାମ ପାଇଁ ୭ ହଜାର ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସଂକ୍ରାନ୍ତୀୟ ନିଷ୍ପତି ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି ସାମୟିକ ହେଲେ ମଧ୍ୟ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଆଶା, ଆଗାମୀ ଦିନରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସଙ୍କଟକୁ ସମ୍ମୁଖୀନ ହେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଏକ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରିବେ ।