ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ କରିଥିଲେ । ଟ୍ରଲିରେ ଗାଡି ଲଦି ଗଡାଇ ଗଡାଇ ନେବା ସହ ରାସ୍ତା ଉପରେ ଚାହା ତିଆରି କରି ପ୍ରତିବାଦ ଜଣାଇଥିଲେ ।
ଗୁରୁବାର ଅପରାହ୍ନରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦି ସରକାର ଓ ନବୀନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଏହି ଅବସରରେ କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ଯେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ମହିଳାଙ୍କ ସମେତ ଗରୀବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି । ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । ଛତିଶଗଡ ସରକାର, ପଶ୍ଚିମବଂଗ ସରକାର ପ୍ରଭୃତି ରାଜ୍ୟ ଟ୍ୟାକ୍ସ ଆଖିଦୃଶିଆ ଭାବେ କମାଇଥିବା ବେଳେ ନବୀନ ପଟ୍ଟନାୟକ ସରକାର କାହିଁକି ଏ ବାବଦରେ ନିଷ୍ପତି ନେଉନାହାନ୍ତି । ସେହିପରି କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି ।

Leave A Reply

Your email address will not be published.

four × 3 =