ଭୁବନେଶ୍ୱର: ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ସରକାରଙ୍କୁ ଦାବି ଜଣାଇ ସେବାୟତ ନିଯୋଗ ନିରାଶ ହେବା ପରେ ସଂଘ ତରଫରୁ ଘଂଟି, ଘଂଟା ବଜାଇ ପ୍ରତିବାଦ କରିଛନ୍ତି । ରାଜ୍ୟର ଅଧିକାଂଶ ମନ୍ଦିର ସାମ୍ନାରେ ସେବାୟତମାନେ ଏଭଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସକାଳ ୯ରୁ ମନ୍ଦିର ଆଗରେ ଘଂଟା ଘଂଟି ବଜାଇ ସଂଘ ସରକାରଙ୍କୁ ମନ୍ଦିର ଖୋଲିବାକୁ ନିବେଦନ କରିଛନ୍ତି । ନଚେତ ସେବାୟତଙ୍କୁ ମାସିକ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ ଦାବି କରିଛି । କରୋନା ମହାମାରୀ ପ୍ରଭାବରୁ ସେବାୟତଙ୍କ ରୋଜଗାର ବନ୍ଦ ହୋଇ ଯାଇଛି । ସେବାୟତଙ୍କ ଏକ ମାତ୍ର ସମ୍ଭଳ ଦିଅଁଙ୍କୁ ନୀତି ପୂଜା କରିବା ସହ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ଚଳିତ । ଏବେ ମନ୍ଦିରକୁ ଦୀର୍ଘ ୬ମାସ ହେବ ଶ୍ରଦ୍ଧାଳୁଙ୍କୁ ଆସୁ ନାହାନ୍ତି । ଏଭଳି କ୍ଷେତ୍ରରେ ସେବାୟତମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି । ସରକାର କଟକଣା ଭିତରେ ସବୁ ଖୋଲୁଛନ୍ତି, କିନ୍ତୁ ଭକ୍ତ ଏବଂ ଭଗବାନଙ୍କ ଭାବନା ଉପରେ ଦୟାଶୀଳ ହେଉ ନାହାନ୍ତି । ଯାହାଫଳରେ ସେବାୟତମାନେ ବହୁ ଅଭାବନୀୟ ସ୍ଥିତିରେ ଗତି କରୁଛନ୍ତି ।
ରାଜଧାନୀର ମେଘେଶ୍ୱର ନାଗେଶ୍ୱର, ବାରିପଦାର ଜଗନ୍ନାଥ ମନ୍ଦିର, ଯାଜପୁରର ଗଡ଼ମଧୁପୁର ଜଗନ୍ନାଥ ମନ୍ଦିର, ଝଙ୍କଡର ସାରଳ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ପୁରୀର ସିରୁଳୀ ମହାବୀର ମନ୍ଦିର, ଗଡ଼ ମାଣିତ୍ରି ଜଗନ୍ନାଥ ମନ୍ଦିର, ନୀଳଗିରିର ଜଗନ୍ନାଥ ମନ୍ଦିର, କଟକ ଧବଳେଶ୍ୱର ମନ୍ଦିର ଗୁଡିକରେ ଏହି ପ୍ରତିବାଦ ପ୍ରଦର୍ଶନ କରିଥିବା ସଂଘର ସଭାପତି କାମେଶ୍ୱର ତ୍ରିପାଠୀଳ ସମ୍ପାଦକ ଜ୍ୟୋତିଶଙ୍କର ଖୁଂଟିଆ, ସଚେତକ ସୁବାଷ ଚନ୍ଦ୍ର ମିଶ୍ର ପ୍ରମୁଖ ସୂଚନା ଦେଇଛନ୍ତି । ସଂଘ ଏହି ପ୍ରତିବାଦ କରିବା ସହ ଅଗାମୀ ୧୦ ଦିନ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛନ୍ତି । ଅଭିଯୋଗ ନଶୁଣିଲେ ବାଧ୍ୟ ହୋଇ ସେବାୟତମାନେ ରାଜରାସ୍ତାକୁ ଓହ୍ଲାଇବେ କହିଛନ୍ତି ।