ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ

ନବରଙ୍ଗପୁର : ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡଃ ପରମେଶ୍ଵର ମୁଣ୍ଡ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଜଗନ୍ନାଥ ମହାପାତ୍ର ଉପସ୍ଥିତ ଥିବାବେଳେ ସଭାପତିତ୍ବ କରିଥିଲେ ‘ଦେଶିଆ’ ପତ୍ରିକାର ସମ୍ପାଦକ ରଞ୍ଜନ ମହୁରିଆ। ପୁସ୍ତକ ସମୀକ୍ଷା କରିଥିଲେ ସମୀକ୍ଷକ କେଦାରେଶ୍ଵର ପଟ୍ଟନାୟକ ଓ କବି ସବିତା ଶତପଥୀ । ପୁସ୍ତକର ମୂଳ ରଚୟିତା ଡଃ ବାସନ୍ତୀ ମହାନ୍ତି ଓ ଅନୁବାଦିକା ଜେମାମଣି ବିଷୋୟୀ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦେଶିଆ କୁଟୁମର ସମ୍ପାଦକ ସବ୍ୟସାଚୀ ବିଷୋୟୀ। ଆଦିତ୍ୟ ଭାରତ, କଟକ ଦ୍ୱାରା ପ୍ରକାଶିତ ଏହି ଦେଶିଆ ଭାଷାର ବହିକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଶହୀଦ ସ୍ମୃତି ସଂସଦ ତଥା କଂଗ୍ରେସର ନେତା ମୁନା ତ୍ରିପାଠୀ ଯୋଗ ଦେଇ ଆଗକୁ ଏହି ଭଳି ଅନେକ ପୁସ୍ତକ ଦେଶିଆ ଭାଷାରେ ପ୍ରକାଶ କରାଯିବା ଉଚିତ ବୋଲି ମତ ଦେଇଥିଲେ। ମୁଖ୍ୟ ଅତିଥି ଡଃ ମୁଣ୍ଡଙ୍କ କହିଥିଲେ ଯେ “ଦେଶିଆ ଭାଷାର ସମୃଦ୍ଧିରେ ଚନ୍ଦରମଲ୍ଲୀ ପୁସ୍ତକ ଗୋଟିଏ ପାଦ ଆଗକୁ ବଢିଛି। ସରସ ସୁନ୍ଦର ଦେଶିଆ ଭାଷା କୌଣସି ଭାଷା ଠାରୁ କମ୍ ନୁହେଁ, ଏହି ଭାଷାର ସମୃଦ୍ଧି ଆବଶ୍ୟକ”। ଅନ୍ୟମାନଙ୍କ ମଧ୍ୟରେ ଶକୁନ୍ତଳା ବିଷୋୟୀ, ନାରାୟଣ ପଣ୍ଡା, ବିଜୟ ଚୌଧୁରୀ, ଡଃ ବିଜୟ କୁମାର ମିଶ୍ର, ଜଗଦୀଶ ତ୍ରିପାଠୀ, ପ୍ରଭାସିନୀ ମହାନ୍ତି, ହାରାବତୀ ଗୋଣ୍ଡ, ଗୋପବନ୍ଧୁ ବିଷୋୟୀ, କିଶୋର ମିଶ୍ର, ଅମ୍ବିକା କଲାର, ଚନ୍ଦ୍ର ଦାସ, ସୁଶୋଭିତ ମେରିଲିନ୍ ତୁରୁକ୍, ଜାହ୍ନବୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ସଂପୂର୍ଣ୍ଣ ଦେଶିଆ ଭାଷାରେ ଅନୁଷ୍ଠିତ ହୋଇଥିଲା। ଶେଷରେ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.

five × four =