ଚପ୍ରିୟା ପଞ୍ଚାୟତରେ ଆବାସ ଯୋଜନାରେ କେଳେଙ୍କାରୀ

ଜଣଙ୍କୁ ଦେଲେ କାର୍ଯ୍ୟାଦେଶ ଆଉ ଜଣଙ୍କ ନାମରେ ଜିଆଇଓ ଟ୍ୟାଗ
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବ୍ଲକ ପ୍ରଶାସନର ବେଖାତିର
ପରିତ୍ୟକ୍ତ ଝୁମ୍ପୁଡି ଘରେ ବୃଦ୍ଧା କ୍ଷୀର ରଣା

ଗୋଳାମୁଣ୍ଡା : କେନ୍ଦ୍ର ସରକାର ଘର ନଥିବା ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଆବାସ ଯୋଜନାରେ କେଳେଙ୍କାରୀ ଦେଖିବାକୁ ମିଳୁଛି । ଆବାସ ଯୋଜନାରେ ଆସିଥିବା ଘରକୁ ଜଣଙ୍କୁ ଘର ତିଆରି ପାଇଁ କର୍ଯ୍ୟାଦେଶ ଦେଇଥିବା ବେଳେ ଘର ନିର୍ମାଣ ପାଇଁ ଆଉ ଜଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ପାଇଁ ଜିଆଇଓ ଟ୍ୟାଗ ଆକାଉଣ୍ଟ ସଂଯୋଗ କରାଯାଇଛି । ବ୍ଲକ ପ୍ରଶାସନର କିଛି ଲାଭଖୋର କର୍ମଚାରୀ ମାନେ କିଛି ଟଙ୍କା ମୋହରେ ପଡି ଗୋଟିଏ ଘରକୁ ଭାଗ ଭାଗ କରିବାକୁ ବସିଛନ୍ତି । ଫଳରେ ଯୋଗ୍ୟ ହିତାଧିକାରୀ ମଧ୍ୟ ଅଯୋଗ୍ୟ ହୋଇ ବସିଛନ୍ତି । ଅନ୍ୟ ପକ୍ଷରେ ଏହି କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଥିବା ନେଇ ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପଞ୍ଚାୟତର ଚପ୍ରିଆ ଗାଁର ଜଣେ ଅସହାୟ ବୃଦ୍ଧା ହେଉଛନ୍ତି କ୍ଷୀର ରଣା । ସେ ଜଣଙ୍କ ଘର ପଛପଟେ ଥିବା ଏକ କାନ୍ଥରେ ଚାଲ ଝୁପୁଡି ଘର କରି ରହିଛନ୍ତି । ପରିତ୍ୟକ୍ତ ଝୁପୁଡି ଘରକୁ ଦେଖିଲେ କେହି ମଧ୍ୟ ଭିତରକୁ ଯିବାକୁ ସାହସ କରିପାରିବେ ନାହିଁ । ଘର ଛାତ ଉପରକୁ ଦେଖିଲେ ଚାରିଆଡେ ସୁର୍ଯ୍ୟର ଆଲୋକ ଦେଖାଯାଉଛି । ଗୋଟିଏ ଛୋଟିଆ କୋଠରିରେ ବୃଦ୍ଧା କ୍ଷୀର ରଣା ରୋଷେଇ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରିଥାନ୍ତି । ବୃଦ୍ଧା କ୍ଷୀର ରଣାଙ୍କୁ ଗତ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ କର୍ଯ୍ୟାଦେଶ ପ୍ରଦାନ କରାଯାଇଛି ଏବଂ କର୍ଯ୍ୟାଦେଶ ସଂଖ୍ୟା ହେଉଛି ଓଡ଼ି/ ୫/୦୯୦/୨୦୨୧-୨୦୨୨ ଅଟେ । କିନ୍ତୁ କ୍ଷୀର ରଣା ପାଇଥିବା କର୍ଯ୍ୟାଦେଶରେ ସେହି ଗାଁର ଖୀନ ରଣାଙ୍କ ନାମରେ ଜିଆଇଓ ଟ୍ୟାଗ କରିବା ସହ ତାଙ୍କ ଆକାଉଣ୍ଟ ମଧ୍ୟ ସଂଯୋଗ ହୋଇଛି । ଯାହା ଫଳରେ କ୍ଷୀରଙ୍କ ନାମରେ ଆସିଥିବା ଆବାସ ଘରର ଟଙ୍କା ଖୀନ ରଣାଙ୍କ ପାଖକୁ ଯାଇଥାନ୍ତା । ବୃଦ୍ଧା କ୍ଷୀରଙ୍କ ପରିବାର ବ୍ଲକ ପ୍ରଶାସନର ଏହି ଚକ୍ରାନ୍ତକୁ ଜାଣିବା ପରେ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ କିନ୍ତୁ କେହି ମଧ୍ୟ ବୃଦ୍ଧାଙ୍କୁ ସହଯୋଗ କରିନଥିଲେ । ଅନ୍ୟ ପକ୍ଷରେ ବୃଦ୍ଧା କ୍ଷିର ରଣା କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ତୁରନ୍ତ କ୍ଷୀର ରଣାଙ୍କୁ ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଛନ୍ତି । ବ୍ଲକର ଲାଭଖୋର କର୍ମଚାରୀ କିଛି ଟଙ୍କା ଲୋଭରେ ଜଣଙ୍କ ଘରକୁ ଅନ୍ୟ ଜଣଙ୍କ ନାମରେ ନାମିତ କରିବା କୁଟଚକ୍ରାନ୍ତକୁ ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । କ୍ଷୀର ରଣା ପାଇଥିବା କାର୍ଯ୍ୟଦେଶରେ ଖୀନ ରଣାଙ୍କ ନାମରେ କିଏ ଜିଆଇ ଟ୍ୟାଗ ଓ ଆକାଉଣ୍ଟ ନମ୍ବର ସଂଯୋଗ କଲା ଏବଂ ଏହି କାମରେ କିଏ ମାଷ୍ଟର ମାଇଣ୍ଡ ଓ କିଏ କିଏ ସଂଶ୍ଲିଷ୍ଟ ତାହାର ଏକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯିଏ ଯୋଗ୍ୟ ତାହାଙ୍କୁ ଘର ଯୋଗାଇ ଦିଆଯିବ ବୋଲି କହିଥିଲେ ।

Leave A Reply

Your email address will not be published.

2 × 2 =