ଚମ୍ପୁଆ : ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ରକ୍ତ ଭଣ୍ଡାରର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ରକ୍ତ ଅଭାବ ପୁରଣ ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ସୁକାନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା.ଉମାକାନ୍ତ ସାହୁ ରକ୍ତ ଭଣ୍ଡାର ଅଧିକାରୀ ଡା. ଜ୍ୟୋତିରଂଜନ ମଲ୍ଲିକ, ଡା. ଧର୍ମପଦ ଦାସ ମହାପାତ୍ର ସମେତ ଏହା ନିୟମିତ ରକ୍ତ ଦାତା, ରକ୍ତ ଦାନ ପରାମର୍ଶ ଦାତା ଓ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଏନଏସଏସ ଏବଂ ରେଡକ୍ରସର କର୍ମ କର୍ତା ମାନେ ଏଥିରେ ଯୋଗ ଦେଇଥିଲେ । ବହୁ ସମୟରେ ରକ୍ତଭଣ୍ଡାରରେ ଅଭାବ ରହୁଥିବା ରକ୍ତ ପୂରଣ ପାଇଁ ବହୁ ବିଧି ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା । ଉପଜିଲାପାଳ ଶ୍ରୀ ମାଝି କମିଟି ସଦସ୍ୟଙ୍କ ସହ କିପରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରାଯାଇପାରିବ ସେ ନେଇ ମତାମତ ଲୋଡିଥିଲେ । ନିୟମିତ ରକ୍ତଦାତା ଓ ପରାମର୍ଶ ଦାତା ମାନେ ବିବାହ ବାର୍ଷିକି, ଜନ୍ମ ଦିନ ଓ ଶ୍ରାଦ୍ଧ ଦିନ ଗୁଡିକରେ ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବା ଏବଂ ଶିକ୍ଷକ ମାନଙ୍କୁ ରକ୍ତଦାନ କ୍ଷେତ୍ରରେ ଆଗକୁ ଆଣିବା ସହିତ ପଂଚାୟତ ସ୍ତରୀୟ ରକ୍ତ ଦାନ ଶିବିର ଆୟୋଜନ କରିବା ଉପରେ ମତ ରଖିଥିବାବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ ସିମିତ କେତେକ ଗୃପର ରକ୍ତ ମିଳୁ ନଥିବା ଉପଜିଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଗୃପର ଚିହ୍ନଟ ପାଇଁ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କର ଗୃପ ଚିହ୍ନଟ କରାଯିବ ବୋଲି ମତପ୍ରକାଶ ପାଇଥିଲା । ଏଥିସହିତ ଝାରଖଣ୍ଡ ଅଂଚଳର ରୋଗୀ ମାନଙ୍କୁ ରକ୍ତ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ବେଳେ ଉକ୍ତ ଅଂଚଳରୁ ରକ୍ତ ସଂଗ୍ରହ କରାଯାଇପାରୁ ନାହିଁ । ଏଥିପାଇଁ ନିୟମିତ ରକ୍ତ ଦାତା ଓ ରକ୍ତ ଦାନ ପରାମର୍ଶ ଦାତା ମାନେ ଉକ୍ତ ଅଂଚଳରେ ବିଭିନ୍ନ ସଂଗଠନ ସହ ଆଲୋଚନା କରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବା ପାଇଁ ଉପଜିଲାପାଳ ପରାମର୍ଶ ଦେଇଥିଲେ ।