ଚମ୍ପୁଆ : ଚମ୍ପୁଆ ରେଂଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରୁ ଗତ ରାତି ୨୪ ଗୋଠିଆ ବଣୁଆ ହାତୀ ଚମ୍ପୁଆ ସେକ୍ସନକୁ ଫେରିଥିବା ବନ ବିଭାଗ ସୂତ୍ରରୁ ଜଣାଯାଇଛି । ଦୀର୍ଘ ଦିନ ବ୍ୟବଧାନରେ ଏହି ବଣୁଆ ହାତୀ ପଲ ଚମ୍ପୁଆ ସେକ୍ସନକୁ ଆସିଥିବା ବେଳେ କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଛନ୍ତି । ଭୋର ସମୟରେ ଏହି ହାତୀ ପଲ କାଳିକାପ୍ରସାଦ ଜଙ୍ଗଲକୁ ପ୍ରବେଶ କରିଥିବାରୁ ସ୍ଥାନିୟ ଅଂଚଳବାସି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ଏହି ହାତୀ ପଲଙ୍କ ଉପରେ ତିକ୍ଷ୍ଣ ନଜର ରଖାଯାଇଥିବା ବେଳେ ହାତୀ ସ୍କ୍ୱାଡ ଓ ବନ ବିଭାଗ କର୍ମଚାରୀମାନେ ହାତୀ ପଲଙ୍କୁ ଜଗି ରହିଛନ୍ତି । ଅସହ୍ୟ ଗରମ ହେତୁ ଦିନ ବେଳେ ହାତୀ ପଲ ଉକ୍ତ ଅଂଚଳରେ ଥିବା ପୋଖରୀ ଜଳାଶ୍ରୟରେ ଜଳ କ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା । ଏହି ହାତୀ ପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ହାତୀ ପଲରେ ମୋଟ ୯ ଟି ଛୁଆ ହାତୀ ରହିଛନ୍ତି ।