ଚାର୍ଜସିଟ୍ ଦାଖଲ ହୋଇପାରିଲାନି ୩ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଗୋଟିଏ ପଟେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଗିରଫ କରୁଛି । ଆଉ ଗୋଟିଏ ପଟେ ସେମାନଙ୍କୁ ଖସାଇବା ଲାଗି ବାଟ ତିଆରି କରୁଛି ।
ଠିକଣା ସମୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଜେଲରୁ ଜାମିନରେ ମୁକୁଳି ଯାଇଛିନ୍ତି ୩ ଡକାୟତ । ସେମାନେ ହେଲେ ରଘୁ ବିଶ୍ୱାଳ, ଶେଖ୍ ଅମିନ ଓ ପବିତ୍ର ମୋହନ ପ୍ରସ୍ତୁତ କରିଥିଲେ । ଯାହକୁ ନେଇ ତଦନ୍ତକାରୀ ଅଧିକାରୀଙ୍କ ଭୂମିକା ସନେ୍ଦହ ପରିସରକୁ ଆସିଛି । ଏମିତି ଏକାଧିକ ସମ୍ବେଦଶୀଳ ଘଟଣାରେ ଚାର୍ଜସିଟ୍ ଦାଖଲ ନ ହେବା ପୋଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ, ୨୦୧୯ ନଭେମ୍ବର ୨୦ରେ ସହିଦନଗର ଥାନା
ଅନ୍ତର୍ଗତ ବାଙ୍କୁଆଳ ନଦୀବନ୍ଧରେ ସନ୍ଦିଗ୍ଧ ଅବସ୍ଥାରେ ବସିଥିବା ୫ ଜଣ ଦୁର୍ବୃତଙ୍କୁ ସହିଦଦନଗର ପୋଲିସ ଓ ସ୍ପେସାଲ ସ୍କ୍ୱାଡ୍ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ । ସେମାନେ ଥିଲେ ଖାରବେଳନଗର ଶାନ୍ତିନଗରର ଶେଖ୍ ଅମିନ ଓରଫ ତିୱାରି, ରଘୁଆ ବିଶ୍ୱାଳ, ଶିବ ଠାକୁର, ମୋତି ବିଲା ଓ ଖୋର୍ଦ୍ଧା ବେଗୁନିଆର ପବିତ୍ର ମୋହନ ଦାସ ଓରଫ୍ ସାହୁ । ସେମାନଙ୍କଠାରୁ ବନ୍ଧୁକ, ଗୁଳି, କଟୁରି ଓ ବାଇକ୍ ଜବତ କରାଯାଇଥିଲା ।
ପଚରାଉଚରା ବେଳେ ଡକାୟତି ଯୋଜନା କରୁଥିବା ପୋଲିସ ଆଗରେ କହିଥିଲେ । ଏମାନେ ଦୁର୍ଦାନ୍ତ ଅପରାଧୀ ରବି ରାଓର ସହଯୋଗୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ରବି ରାଓକୁ କୋର୍ଟଚାଲାଣ ସମୟରେ ଫେରାର୍ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ଫେରାର୍ କରିବା ସମୟରେ ଯେଉଁ ଗାଡ଼ିର ଆବଶ୍ୟକତା ରହିଥିଲା, ସେହି ଗାଡ଼ିକୁ ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ ନିକଟରେ ସ୍ୱୀକାର କରିଥିଲେ । ଦୁର୍ଦାନ୍ତ ଅପରାଧୀ ରଘୁ ଓ ଅମିନ୍ ନାଁରେ ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନାରେ ମାମଲା ମଧ୍ୟ ରହିଛି । ସବଇନ୍ସପେକ୍ଟର ପ୍ରମୋଦ ଲେଙ୍କା ଅଭିଯୋଗକାରୀ ଥିବା ବେଳେ ଏ ସଂକ୍ରାନ୍ତରେ ସହିଦନଗର ଥାନା ପୋଲିସ କେସ୍ ନଂ ୬୦୫/୧୯ରେ ଆଇପିସି ଧାରା ୩୯୯, ୪୦୨ରେ ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ-୨୫, ୨୭ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା । ସବ୍ଇନ୍ସପେକ୍ଟର ସଞ୍ଜୟ କୁମାର ଜେନା ମାମଲା ତଦନ୍ତକାରୀ ଅଧିକାରୀ ଥିଲେ । ଆଇନ ଅନୁସାରେ ଡାକାୟତି ଯୋଜନା ଦଫାରେ ଅଭିଯୁକ୍ତ କୋର୍ଟଚାଲାଣର ୬୦ ଦିନ ଭିତରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲ କରିବା କଥା । କିନ୍ତୁ ଚାର୍ଜସିଟ୍ ଦାଖଲ ନହେବାରୁ ସିଆରପିସି ଧାରା ୧୬୭ (୨) ଅନୁସାରେ ୩ ଅଭିଯୁକ୍ତ ଜାମିନ ପାଇ ଯାଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ସମ୍ବେଦନଶୀଳ ମାମଲାରେ କାହିଁକି ଚାର୍ଜସିଟ୍ ଦାଖଲ କଲା ନାହିଁ । ପୋଲିସ? ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରି ବାହାର ନେଉଥିବା ପୋଲିସ କାହିଁକି ଏହି ମାମଲାରେ ଅଭିଯୁକ୍ତଙ୍କୁ ଖସାଇବା ଲାଗି ବାଟ ତିଆରି କଲା ତଦନ୍ତକାରୀ ଅଧିକାରୀ ଶ୍ରୀଜେନା ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରିବା ପଛର ଉଦ୍ଦେଶ୍ୟ କ’ଣ ସୁପରଭାଇଜିଂ ଅଧିକାରୀ କାହିଁକି ଏହାର ଅନୁଧ୍ୟାନ କରି ନଥିଲେ । ଗୁରୁତର ଅବହେଳା କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣା ସମ୍ପର୍କରେ ଅନୁଧ୍ୟାନ ପରେ ଯାହା କିଛି କୁହାଯାଇ ପାରିବ ।

Leave A Reply

Your email address will not be published.

3 × four =