ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡିବା ସହ ଭୟଙ୍କର ରୁପ ଧାରଣ କରିବାକୁ ବସିଛି । ବିଶେଷ କରି ଚମ୍ପୁଆ ଉପଖଣ୍ଡର ବଡବିଲ ସହର ହଟସ୍ପଟ୍ ହୋଇଯାଥିବା ବେଳେ, ପ୍ରଶାସନିକ କଟକଣା ସତ୍ୱେ ଲୋକମାନେ ସଚେତନ ହୋଇନାହାନ୍ତି । ପ୍ରତ୍ୟେକ ଦିନ ସାଧାରଣ ଜନତା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟକୁ ଚାତକ ପରି ଅନାଇ ରହୁଛି । ଏହାକୁ ନେଇ ଆଲୋଚନା ମଧ୍ୟ ଜୋର ଧରିଛି । ଗୁରୁବାର ଦିନ ବଡବିଲରୁ ୩୪ଜଣ ଓ ଗତକାଲି ଚମ୍ପୁଆରୁ ୨ଜଣ ସଂକ୍ରମଣଙ୍କୁ ଚିହ୍ନଟ କରିବା ପରେ ବଡବିଲ ସହରକୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ କରାଯାଇଥିବା ବେଳେ ଚମ୍ପୁଆ ଏନଏସିର ୬ନଂ ୱାର୍ଡକୁ ସିଲ କରିଦିଆଯାଇଛି । ସପ୍ତାହର ୨ଦିନ ପୁରା ଜିଲ୍ଲା ସର୍ଟଡାଉନ ରହୁଛି । ଅମାନିଆଙ୍କପ୍ରତି ପୋଲିସର କଡା କାର୍ଯ୍ୟନୁଷ୍ଠାନ, ସାନିଟାଇଜେସନ ପରେ ମଧ୍ୟ ବେକାବୁ ହେଉଛି କରୋନା ।ଏଡାରେ ସ୍ମରଣଯୋଗ୍ୟକି ଚମ୍ପୁଆରୁ ଦୁଇଜଣ ସଂକ୍ରମିତ ପଶ୍ଚିମବଙ୍ଗ ଫେରନ୍ତା । ଲକଡାଉନ ପରେ ସେମାନେ ଏଠାକୁ ଆସିଥିଲେ । ସେମାନେ ନିର୍ମାଣ କାଠ, ରଙ୍ଗ ଓ ଗ୍ୟାରେଜ ମିସ୍ତ୍ରୀ ଭାବେ ଏଠାରେ ରହି କାମ କାରୁଥିଲେ । ସରକାରଙ୍କ କୋଭିଡ ନିୟମକୁ ବେଖାତିର କରି ପ୍ରଶାସନ ଆଖିରେ ଧୂଳି ଦେଇ ବିଭିନ୍ନ କାମ କରିଆସୁଛନ୍ତି । ଫଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧିପାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ଠାବକରି ଭଡାଘରେ ରହୁଥିବା ମାଲିକ, କାର୍ଯ୍ୟ କରୁଥିବା କଂଟ୍ରାକ୍ଟରମାନଙ୍କୁ ସେମାନଙ୍କ ସଂପୁର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ଦାବୀ ହେଉଛି । ଲୋକମାନଙ୍କ ମନରେ ଭୟ ରହୁଥିଲେ ମଧ୍ୟ ସେମାନଙ୍କ ଖାମଖିଆଲ ମନୋବୃତି, ସାମାଜିକ ଦୂରତାକୁ ନମାନିବା, ବେକରେ ମାସ୍କ ଥିଲେବି ମୁହଁ ନାକ ବନ୍ଦ କରୁନଥିବା ଦେଖିବାକୁ ମିଳୁଛି । ଫଳରେ ଆମେ ଜାଣିଶୁଣି ମହାମାରୀ କରୋନାକୁ ନିମନ୍ତ୍ରଣ କରୁଛେ ବୋଲି ଆଲୋଚନା ହେଉଛି ।