ଛାତ୍ରଛାତ୍ରୀଙ୍କ ଫି’ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏଆଇଏସ୍ଏଫ୍ ପକ୍ଷରୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି-୨୦୨୦ ଓ ଛାତ୍ରଛାତ୍ରୀଙ୍କ ଫି’ ସମ୍ପର୍କରେ ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମହାମାରୀ ଲୋକଙ୍କ ଜୀବନ-ଜୀବିକା ଛଡ଼ାଇ ନେଇଥିବା ସମୟରେ ବନ୍ୟା ବିତ୍ପାତ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ପାଇଁ ଅନେକ କ୍ଷୟକ୍ଷତିର ଶିକାର ହୋଇଛି । ରାଜ୍ୟର ଲକ୍ଷାଧିକ ଶିକ୍ଷାର୍ଥୀଙ୍କ ପାଠପଢା ଏହାଦ୍ୱାରା ପ୍ରଭାବିତ ହେବା ସହ ସାମାଜିକ ଓ ଆର୍ଥିକ ଭାବେ ପଛୁଆବର୍ଗର ଅଧିକାଂଶ ଶିକ୍ଷାର୍ଥୀ ପାଠପଢାରୁ ବଞ୍ଚିତ ହେବେ । ତେଣୁ ଆସନ୍ତା ଶିକ୍ଷାବର୍ଷ ୨୦୨୦-୨୧ରେ ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷା ଖର୍ଚ୍ଚ ସରକାର ବହନ କରିବା ପାଇଁ ଦାବି କରାଯାଇଛି, ଅର୍ଥାତ୍ ସମ୍ପୂର୍ଣ୍ଣ ଫି’ ଛାଡ । ଲକ୍ଡାଉନ୍ରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସତ୍ୱେ ଘରୋଇ ଶିକ୍ଷାନୁଷ୍ଠାନମାନେ ଫି’ ଆଦାୟ ପାଇଁ ଅଭିଭାବକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ତେଣୁ ଘରୋଇ ଶିକ୍ଷାନୁଷ୍ଠାନମାନେ ଲକ୍ଡାଉନ୍ ସମୟର ସମସ୍ତ ପ୍ରକାର ଫି’ ଛାଡ ସହ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶାନୁସାରେ ଯେଉଁ ଫି’ ଆଦାୟର ପରିମାପକ ସ୍ଥିର କରାଯିବ ତାହା ବର୍ତମାନ ଆଦାୟ ହେଉଥିବା ଫି’ର ୫୦% ହେଉ । ସରକାରୀ ପ୍ରୋତ୍ସାହନ ପାଇଁ ହିଁ ଘରୋଇ ଶିକ୍ଷାନୁଷ୍ଠାନମାନେ ଶିକ୍ଷା ଅଧିକାର (ଆର.ଟି.ଇ.) ଆଇନ୍ ଉଲ୍ଲଙ୍ଘନ କରୁଛନ୍ତି । ଆର.ଟି.ଇ. ଆଇନ୍ ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନରେ ୨୫% ଛାତ୍ରଛାତ୍ରୀ ମାଗଣା ଶିକ୍ଷା ଗ୍ରହଣ କରିବାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ହେଉ । କରୋନା ଓ ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ବହି, ୟୁନିଫର୍ମ ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ କିଣିବା ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଛି । ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟୁତ ସଂଯୋଗ, କମ୍ପ୍ୟୁଟର ଶିକ୍ଷା, ପାଠାଗାର, ପରୀକ୍ଷାଗାର ଓ ଶୌଚାଳୟ ତୁରନ୍ତ ସୁନିଶ୍ଚିତ କରାଯିବା ସହିତ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ତୁରନ୍ତ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ ହୋଇଛି । କୌଣସି ସଂଘୀୟ ବ୍ୟବସ୍ଥାକୁ ଭ୍ରୁକ୍ଷେପ ନ କରି ଯେଉଁଭଳି ଜାତୀୟ ଶିକ୍ଷାନୀତି-୨୦୨୦କୁ ରାଜ୍ୟମାନଙ୍କ ଉପରେ ଲଦି ଦେବାପାଇଁ କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ, ଅଭିଭାବକ ସଂଘ, ଶିକ୍ଷାବିତ୍ ଓ ଶିକ୍ଷା ଗବେଷକଙ୍କ ମତାମତକୁ ବିଚାରକୁ ନ ନେବା ପର୍ଯ୍ୟନ୍ତ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ନ କରିବା ପାଇଁ ଏ.ଆଇ.ଏସ୍.ଏଫ୍. ଦାବି କରିଛି । ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉକ୍ତ ଦାବିଗୁଡ଼ିକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ପରେ ଛାତ୍ର ହିତରେ ପଦକ୍ଷେପ ନେବେ ବୋଲି ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଜଣାଇଛନ୍ତି । ପ୍ରତିନିଧି ମଣ୍ଡଳୀରେ ବିବେକ କୃଷ୍ଣା, ମାନସ ରଞ୍ଜନ କର ଓ ମାମୁନି ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

13 + 6 =