ଜଗତସିଂହପୁରରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଅଛିା ଏହି ଦିବସ ଉପଲକ୍ଷେ ଏକ
ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ନୂତନ ଓ.ପି.ଡି ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କହିଲେ ଏଡ୍ସ ଏକ ଭୁତାଣୁ ଜନିତ ସଂକ୍ରାମକ ରୋଗ । ପ୍ରତିଷେଧକ ବ୍ୟବସ୍ଥା ହିଁ କେବଳ ଏହି ସଂକ୍ରମଣକୁ ପ୍ରତିହତ କରିପାରିବ । ଭୟାବହ ଏଡ୍ସର ପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷର ଅନୁଚିନ୍ତା“ବିଶ୍ୱ ଏକତା,ସହଭାଗୀ ଦାୟିତ୍ୱ’’କୁ ନେଇ ପାଳନ କରାଯାଉଛିା
ଏହି ଦିବସରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟା ପଣ୍ଡା କହିଲେ ଜଗତସିଂହପୁର ଜିଲ୍ଲାରେ ୨୦୦୬ ମସିହା ଠାରୁ ଅକ୍ଟୋବର -୨୦୨୦ ପର୍ଯ୍ୟନ୍ତ ୩୫୦ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ୧,୭୫,୭୫୭ ଜଣଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିବା ବେଳେ,୧,୬୦,୭୪୮ ଜଣଙ୍କର ଏଡ୍ସ ପରୀକ୍ଷା କରାଯାଇଛି । ମୋଟ୍ ୩୫୦ ଜଣ ପଜିଟିଭ୍ଙ୍କ ମଧ୍ୟରୁ ୨୦୭ ଜଣ ପୁରୁଷ,୧୪୧ ଜଣ ମହିଳା ଓ ୨ ଜଣ ଉଭୟ ଲିଙ୍ଗୀ ଅନ୍ତର୍ଭୁକ୍ତ ଥିବା ବେଳେ, ୬୯ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ବୈଠକରେ ନୋଡାଲ ଅଧିକାରୀ,ଆଇ.ସି.ଟି.ସି ଡଃ ବସନ୍ତ କୁମାର ବାରିକ୍ ଯୋଗଦେଇ କହିଲେ ପଜିଟିଭ୍ ଏଡ୍ସ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଙ୍କ୍ ଆର୍ଟ ସେଣରରେ ମାଗଣା ଔଷଧ ପ୍ରଦାନ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ୫୯ ଜଣ ଏଡ୍ସ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ମଧୁବାବୁ ପେନ୍ସନ୍ ଯୋଜନାରେ ୨୮୨ ଜଣ,ମୋ କୁଡିଆ ଯୋଜନାରେ ୧୧ ଜଣ ଓ ମୋ ଗୁହାଳ ଯୋଜନାରେ ୧ଜଣ,ସୁକନ୍ୟା ଯୋଜନାରେ ୯ଜଣ,ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୧୨ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

Leave A Reply

Your email address will not be published.

13 − 6 =