ଜନସ୍ୱାର୍ଥ ମାମଲାକୁ ପ୍ରଚାରସ୍ୱାର୍ଥ ମାମଲା କରାଯିବା ଅନୁଚିତ: ହାଇକୋର୍ଟ

କଟକ: ହାଇକୋର୍ଟରେ ମାମଲା ରୁଜୁ କରି ଫସିଛନ୍ତି ଜଣେ ବ୍ୟକ୍ତି ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ଦଣ୍ଡିତ କରିବା ସହିତ ଅଦାଲତ ଜନସ୍ୱାର୍ଥ ମାମଲାରୁ ନେଇ ନିଜର ମତ ରଖିଛନ୍ତି । ଜନସ୍ୱାର୍ଥ ମାମଲା ନ୍ୟାୟିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । କିନ୍ତୁ ଏହା ପ୍ରଚାରସ୍ୱାର୍ଥ ମାମଲା, ବ୍ୟକ୍ତିଗତ ସ୍ୱାର୍ଥ ମାମଲା ଅଥବା ପଇସା ଆୟ ମାମଲା ହେବା ଅନୁଚିତ ବୋଲି ଅଦାଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱରର ଅଜୟ ବଡ଼ଜେନା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରି କୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ଅଜୟ ମାମଲାରେ ଦର୍ଶାଇଥିଲେ ଯେ ପଟିଆ ଅଂଚଳରେ ଶ୍ମଶାନ ପାଇଁ ସଂରକ୍ଷିତ ଥିବା ଜମି ଉପରେ ବେଆଇନ ଭାବେ ଡମ୍ପିଂୟାର୍ଡ ନିର୍ମାଣ କରାଯାଉଛି । ୨୦୨୦ ଜୁନ୍ ୯ରେ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର, ବିଏମ୍ସି ଓ ବିଡିଏକୁ ନୋଟିସ୍ ଜାରି କରିବା ସହିତ ପଟିଆ ମୌଜାରେ ଡମ୍ପିଂୟାର୍ଡ ନିର୍ମାଣ ଚାଲିଥିବା ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ । ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ସମୟରେ ବିଏମସି ପକ୍ଷରୁ ଦର୍ଶାଯାଇଥିଲା । ଯେ ନ୍ୟାସନାଲ ଗ୍ରିନ୍ ଟ୍ରିବୁନାଲ ନିୟମାବଳୀ ଅନୁସାରେ ଏହି ସ୍ଥାନରେ ୩ ନମ୍ବର ୱାର୍ଡ ପାଇଁ ଏକ ମାଇକ୍ରୋ କମ୍ପୋଜିଂ ସେଂଟର ନିର୍ମାଣ କରାଯାଉଛି । କିନ୍ତୁ ଆବେଦନକାରୀ ଅଜୟ ବଡ଼ଜେନା ବେଆଇନ ଭାବେ କଲ୍ୟାଣ ମଣ୍ଡପ ନିର୍ମାଣ କରିଥିବା ବେଳେ ଏକ ସରକାରୀ ଜମି ମଧ୍ୟ ଜବର ଦଖଲ କରିଥିବା ନେଇ ଅଭିଯୋଗ ରହିଛି । ଏଥି ପାଇଁ ତାଙ୍କୁ ବିଏମ୍ସି ପକ୍ଷରୁ ୨୦୧୯ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଆବେଦନକାରୀ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ବୋଲି ବିଏମସି ପକ୍ଷରୁ ଦର୍ଶାଯାଇଥିଲା । ଆବେଦନର ଶୁଣାଣି କରି ଏହାକୁ ଖାରଜ କରିବା ସହିତ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଅଜୟଙ୍କୁ ୧୦ ହଜାର ଟଙ୍କା (କଷ୍ଟ) ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ପ୍ରକ୍ରିୟା ଅପବ୍ୟବହାର କରିଥିବାରୁ କଷ୍ଟ ବାବଦ ୧୦ ହଜାର ଟଙ୍କା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ର ଆତଭୋକେଟ୍ସ ୱେଲଫେୟାର ଫଣ୍ଡରେ ଜମା କରିବା ପାଇଁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଏହି ଅର୍ଥ ଏକ ମାସ ଭିତରେ ଆବେଦନକାରୀ ୱେଲଫେୟାର ଫଣ୍ଡରେ ଜମା କରିବେ, ନଚେତ ଏହି ଅର୍ଥ ଆଦାୟ ପାଇଁ ଆଇନ ଅନୁସାରେ ପ୍ରକ୍ରିୟା ଗ୍ରହଣ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ଭବିଷ୍ୟତରେ ଏପରି ଅଯଥା ଆବେଦନ ଦାୟର ନ କରିବା ପାଇଁ ମହକିଲଙ୍କ ପାଇଁ ଏହା ଏକ ଚେତାବନୀ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.

twenty − 18 =