ଚନ୍ଦ୍ରଶେଖରପୁର: ଚନ୍ଦକା ଛକରୁ ଇନ୍ଫୋସିଟି ଶୈଳଶ୍ରୀବିହାର ଦେଇ ନୀଳଦ୍ରିବିହାରକୁ ଲମ୍ବିଥିବା ଦୁଇ ଶହ ଫୁଟିଆ ରାସ୍ତାର ଡିଭାଇଡର୍ ଏବେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ଜବରଦଖଲରେ । ଉଠା ଦୋକାନ କରିବା ପାଇଁ ପ୍ରତିଯୋଗିତା କଲା ଭଳି ବସ୍ତି ଲୋକେ ଜଣକ ପରେ ଜଣେ ଡିଭାଇଡର୍ ଉପରେ ଜବରଦଖଲ କରି ଚାଲିଛନ୍ତି । କେହି ଦୋକାନ କରିବା ପାଇଁ ଅସ୍ଥାୟୀ ପିଣ୍ଡି ନିର୍ମାଣ କଲେଣି ତ କେହି ତାର ବାଡ଼ ଘେରାଇ ଜାଗା ଜଗି ସାରିଲେଣି । ପରିତାପର କଥା ଯେ ଏହି ଡିଭାଇଡର୍ ଉପରେ ବନ ନିଗମ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା । କିନ୍ତୁ ଜବରଦଖାଲ କରିବା ପାଇଁ ବସ୍ତିବାସିନ୍ଦାମାନେ ଗଛ କାଟି ପକାଇଛନ୍ତି । ଦୋକାନ ପାଇଁ କିଛି ଲୋକ ଡିଭାଇହର୍ କବ୍ଜା କରିଥିବା ବେଳେ କିଛି ଅସାଧୁ ଲୋକ ମନ୍ଦିର ନିର୍ମାଣ ନାଁରେ ମାଙ୍କଡା ପଥର ଗଦା କରିଛନ୍ତି । ଶୈଳଶ୍ରୀ ବିହାରରୁ ପଣ୍ଡାପାର୍କ ଓ ଉତ୍କଳ ହସ୍ପିଟାଲ୍ରୁ ଚନ୍ଦକା ଅଭୟରଣ୍ୟ ଭ୍ରମଣ ଫାଟକ ପର୍ଯ୍ୟନ୍ତ ଡିଭାଇଡରକୁ ୪ଟି ସ୍ଥାନରେ ସ୍ଥାନୀୟ ଲୋକ ସିମେଂଟ ଖୁଂଟ ଓ ତାର ବାଡ଼ ବୁଲାଇ ଜବରଦଖଲ କରିଛନ୍ତି । ବସ୍ତିବାସିନ୍ଦାମାନଙ୍କ ଏଭଳି କାର୍ଯ୍ୟକଳାପ ଉପରେ ଏବେଠାରୁ ଅଙ୍କୁଶ ନ ଲାଗିଲେ, ଆଗାମୀ ଦିନରେ ଏହି ରାସ୍ତାରେ ଚଳପ୍ରଚଳ ବିପଜ୍ଜନକ ହୋଇ ପଡ଼ିବ ବୋଲି ଅଭିଯୋଗ ହେଉଛି ।