ଭୁବନେଶ୍ୱର: ୨୦୧୨ ମସିହାରେ ଜଣେ ସେଟଲମେଂଟ୍ ଅଫିସରଙ୍କ ଭୁଲ ଅର୍ଡର୍ ଯୋଗୁଁ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ନିଜସ୍ୱ ଘରବାଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି ।
ଲୋକଙ୍କୁ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ସାମ୍ବାଦିକ ସମ୍ମିଳନୀ କରି ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏପରି ଅଭିଯୋଗ କରିଛନ୍ତି । ଜମି ମାଲିକଙ୍କୁ ଜମି ଫେରା ନ ଗଲେ ଆଗକୁ ଜୋରଦାର ଆନେ୍ଦାଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ଜମି ବିକ୍ରି କରିପାରୁନାହାନ୍ତି । ସରକାରଙ୍କ ବିକାଶମୂଳକ କର୍ଯ୍ୟ ମଧ୍ୟ ଏହି ଅଂଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏପରିକି ଖେଳପଡ଼ିଆ ଓ ମେଳଣ ପଡ଼ିଆ ପାଇଁ ମଧ୍ୟ ସରକାରୀ ଅର୍ଥ ବିନିଯୋଗ ହୋଇପାରୁନି । ଏହାର ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ବି ପାଳନ ହୋଇନି । ଅନ୍ୟପଟେ ରାଜ୍ୟ ସରକାର ଏକ କମିଟି ଗଠନ କରିଦେଇ ଚୁପ୍ ବସିଛନ୍ତି । ସେ କମିଟି ଏ ପର୍ଯ୍ୟନ୍ତ କିଛି ବି କାର୍ଯ୍ୟ ଆରମ୍ଭ କରିନି । ଗୋଟିଏ ଭୁଲ ଅର୍ଡର୍ ବଳରେ ଯେପରି ସମସ୍ତଙ୍କ ଜମି ଜଗନ୍ନାଥଙ୍କ ନାଁରେ ରେକର୍ଡ ହୋଇଗଲା ସେହିପରି ଚଳିତବର୍ଷ ଶେଷସୁଦ୍ଧା ସରକାର ଗୋଟିଏ ଅର୍ଡର୍ ଜାରି କରି ସମସ୍ତ ଜମି ମାଲିକମାନଙ୍କୁ ସେମାନଙ୍କ ଭୂସମ୍ପତି ଫେରାନ୍ତୁ । ନଚେତ୍ ଜଟଣୀ ରେଳଠାରୁ ଆରମ୍ଭ କରି ତେଲ ଡିପୋ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ଜଟଣୀ ଓ ଭୁବନେଶ୍ୱରରର କେତେଜଣ ଅନ୍ୟ ଦଳର କର୍ମୀ କଂଗ୍ରେସରେ ସାମିଲ ହୋଇଥିଲୋ ।