ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ ପ୍ରଦାନ
କୁକୁଡାଖଣ୍ଡି : ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛି । ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ” ଭୂମି ସମ୍ମାନ ପ୍ଲାଟିନମ ପ୍ରମାଣ ପତ୍ର” ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ କରକମଲରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୂମି ସଂସ୍କାର ନିମନ୍ତେ ଜିଲ୍ଳାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଯଥା- ଜମି ପଟ୍ଟାର କମ୍ପୁଟରୀକରଣ, ଜମି ରେଜିଷ୍ଟେ୍ରସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ ,ଆଧୁନିକ ରେକର୍ଡ ରୁମ ପରିଚାଳନା ଓ ଜମି ଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପୁଟରୀକରଣ ,ତହସିଲ ଓ ରେଜିଷ୍ଟେ୍ରସନ କାର୍ଯ୍ୟଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ୨୩ ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଛି । ଏଥି ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ଭାରତର ରାଷ୍ଟ୍ରପତି ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଦାନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଗଞ୍ଜାମ ଜିଲ୍ଲା ଡେପୁଟି କଲେକଟର ଦୟା ସିନ୍ଧୁ ପରିଡା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଉପସ୍ଥିତ ଥିଲେ ।