ଯାଜପୁର,୬.୬ (ନି.ପ୍ର) : ସୁଜାତା ଆତ୍ମହତ୍ୟା କରିନାହିଁ ବରଂ ତାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ତେଣୁ ସୁଜାତାର ହତ୍ୟାକାରୀଙ୍କ ଆମ ଗ୍ରାମରେ ସ୍ଥାନ ନାହିଁ ଅଭିଯୋଗ କରି ମହିଳାଙ୍କ ଅଭିଯୁକ୍ତଙ୍କୁ ଗାଁରେ ବିରୋଧ ଭଳି ଅଭାବନୀୟ ଘଟଣାକୁ ନେଇ ଗାଁରେ ଉତେଜନା । ପୁଲିସର ହସ୍ତକ୍ଷେପ ପରେ ଅଭିଯୁକ୍ତମାନେ ଗାଁରେ ରହିଥିବା ବେଳେ ଉତେଜନା ଥମି ନଥିବା ଜାଣିବାକୁ ମିଳିଛି । ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ୍ ତଥା ଯାଜପୁର ଟାଉନ ଥାନା ଅଧିନ ଖଣ୍ଡରା ପଂଚାୟତ ଇନ୍ଦାସ ଗ୍ରାମରେ । ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଅଭିଯୋଗରେ ଅଭିଯୁକ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇ ଗାଁକୁ ଆସିଥିବା ବେଳେ ଗାଁରେ ଅଭିଯୁକ୍ତଙ୍କ ପ୍ରବେଶକୁ ବିରୋଧ କରି ଗାଁର ମଂଜୁଲତା ଜେନା, ରାଧାରାଣୀ ଜେନା, ରଶ୍ମିତା ଜେନା, ଭାରତୀ ଜେନା, ଗୀତାରାଣୀ ଯେନା, ଅନୁସୟା ଜେନା, ଦୂର ଜେନା, ତିଳୋତମା ଜେନା, ସୁର୍ଜାଳି ଜେନା, ମମତା ଜେନା, ଗେହ୍ଲୀ ଯେନାଙ୍କ ସମେତ ଅନେକ ମହିଳା ଗ୍ରାମ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଯାହାକୁ ନେଇ ଗାଁରେ ଉତେଜନା ପ୍ରକାଶ ପାଇଥିଲା । ଯାମିନରେ ଆସିଥିବା ଅଭିଯୁକ୍ତଙ୍କ ଠାରୁ ଖବର ପାଇ ଯାଜପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଂଚି ମହିଳାଙ୍କୁ ବୁଝାସୁଝା କରିବା ପରେ ଗ୍ରାମରାସ୍ତା ଅବରୋଧ ହଟିଥିଲା । ପରେ ଅଭିଯୁକ୍ତ ନିଜ ଘରକୁ ଯାଇଥିବା ବେଳେ ଗ୍ରାମରେ ଚାପା ଉତେଜନା ଜାରି ରହିଥିବା ଜଣାପଡ଼ିଛି । ସୂଚନା ଥାଉକି କେନ୍ଦ୍ରାପଡ଼ା ଜିଲ୍ଲାର ସନାତନ ଜେନାଙ୍କ ଝିଅ ସୁଜାତା ଯେନା (୧୯) ବାଲ୍ୟକାଳରୁ ଦଶରଥପୁର ବ୍ଲକ୍ ଖଣ୍ଡରା ପଂଚାୟତ ଇନ୍ଦାସ ଗ୍ରାମରେ ଥିବା ଅଜା ଅରୁଣ ଯେନାଙ୍କ ଘରେ ରହି ଆସୁଥିଲେ । ଏହା ମଧ୍ୟରେ ଅଜା ଘର ନିକଟ ଗୋକୁଳାନନ୍ଦ ଯେନାଙ୍କ ପୁଅ ସୁଶାନ୍ତ ଜେନାଙ୍କ ସହ ସୁଜାତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ସୁଶାନ୍ତଙ୍କ ପରିବାର ସମେତ ମାମୁଁ ଓ ବାପଘର ଲୋକେ ଘୋର ବିରୋଧ କରିଥିଲେ । ହେଲେ ବିରୋଧକୁ ଖାତିର ନ କରି ଉଭୟ ବିବାହ କରିବାକୁ ସ୍ଥିର କରିବା ସହ ଗତ ବର୍ଷ ମେ ମାସରେ ଘରୁ ଲୁଚି ପଳାଇ ସୁଶାନ୍ତ କାମ କରୁଥିବା ଗୁଜୁରାଟର ଏକ ଘରୋଇ ସଂସ୍ଥା ପରିସରରେ ରହି ଆସୁଥିଲେ । ତେବେ ଚଳିତ ମାର୍ଚ୍ଚ ୧୦ ତାରିଖରେ ସୁଜାତାଙ୍କ ମାମୁଁ ଅଶୋକ ଯେନାଙ୍କ ବିବାହ ଉସôବ ଥିବାରୁ ଗାଁରେ ଥିବା ସୁଶାନ୍ତଙ୍କ କିଛି ସାଙ୍ଗମାନଙ୍କ ଡ଼ାକରା ପାଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଶାଶୁଘର ଗ୍ରାମ ଇନ୍ଦାସକୁ ଆସଥିଲେ । ତେବେ କୈାଣସି କାରଣକୁ ନେଇ ସୁଜାତା ମାମୁଁ ଅଶୋକଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନ ପାରିବାରୁ ଶାଶୁ ୁ ସାବିତ୍ରୀଙ୍କ ସହ କଥା କଟାକଟି ହୋଇଥିଲା । ଏପରିକି ଗତ ଶୁକ୍ରବାର ମାମୁଁ ଅଶୋକଙ୍କ ଚତୁର୍ଥୀ ଭୋଜିରେ ମଧ୍ୟ ସୁଜାତା ଯୋଗ ଦେଇ ପାରିନଥିଲେ । ଫଳରେ ଉଭୟ ଶାଶୁ ସାବିତ୍ରୀ ଓ ସୁଜାତାଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହାକୁ ନେଇ ସୁଜାତା ନିଜ ଶୋଇବା ଘର ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଶାଶୁ ଘର ଲୋକେ ସଫେଇ ଦେଇଛନ୍ତି । ଅପର ପକ୍ଷେ ମାମୁଁଙ୍କ ବିବାହରେ ଯୋଗ ଦେବାକୁ ଆସିଥିବା ସୁଜାତାକୁ ଶାଶୁ ସାବିତ୍ରୀ କୈାଣସି ପ୍ରକାରେ ମାମୁଁଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଘୋର ବିରୋଧ କରି୍ଥିଲେ ଓ ଏଥିରେ ସୁଜାତା ବାଧା ଦେବାରୁ ସୁଜାତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସୁଜାତାଙ୍କ ବାପଘର ଲୋକେ ଶାଶୁ ସାବିତ୍ରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୁଦ୍ଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।