ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ ଭବନ ସମ୍ମୁଖରେ କରୋନା ମହାମାରୀ ସମୟରେ ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା ଘୁଂଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦିନିକିଆ ଅନଶନ ମଧ୍ୟ କରାଯାଇଛି । ଦୀର୍ଘ ୬ ମାସ ଧରି କରୋନା ମହାମାରୀ ସାଧାରଣ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି । କଂଟେନମେଂଟ, ସଟଡାଉନ, ଲକଡାଉନ ଓ କର୍ଫ୍ୟୁରେ ମଣିଷ ଯନ୍ତ୍ରଣା ଭିତରେ ଜୀବନ କାଟୁଛି । ଏପର୍ଯ୍ୟନ୍ତ କୌଣସି ଶିକ୍ଷାନୁଷ୍ଠାନ ଖୋଲିନାହିଁ । ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଗଲେ ବିପଦରେ ପଡ଼ିବେ ବୋଲି ନିଜେ ସରକାର ଅନୁଭବ କରିଛନ୍ତି । ଗମନାଗମନ ସ୍ୱଭାବିକ ହୋଇନାହିଁ । ଅଧିକାଂଶ ସ୍ଥାନରେ ଇଂଟରନେଟର ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ମଧ୍ୟ କରି ନାହାନ୍ତି । ସହରାଂଚଳରେ ହୋଟେଲ ମଧ୍ୟ ଖୋଲି ନାହିଁ । ଏଭଳି ପରିସ୍ଥିତିରେ ମୋଦି ସରକାର ଛାତ୍ରଛାତ୍ରୀମାନଙ୍କ ଜୀବନକୁ ବିପନ୍ନ କରିବା ପାଇଁ ଉଦ୍ୟମ କରିଛନ୍ତି । ପରୀକ୍ଷା ହଲରେ ଯେଉଁ ଭିଡ଼ ହେବ ତାହା ନିୟନ୍ତ୍ରିତ ହୋଇପାରିବ ନାହିଁ । କରୋନା ବାୟୁବାହିତ ବୋଲି ବୈଜ୍ଞାନିକମାନେ ମଧ୍ୟ କହିଲେଣି । କେତୋଟି ପରୀକ୍ଷା ସେଂଟର ବଢ଼ାଇ ଓ କିଛି ନିୟମ ଭିତରେ ପରୀକ୍ଷା କଲେ କରୋନା ଆକ୍ରମଣ କରିବ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ ଧାରଣା ନେଇଛନ୍ତି ତାହା ଭୁଲ । ଗୋଟିଏ ପଟେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ସ୍ଥଳେ ଏବଂ ସରକାରଙ୍କ କୋଭିଡ ଆଇନକୁ ମାନୁନଥିବା ବ୍ୟକ୍ତିଙ୍କ ଉପରେ ଦଣ୍ଡବିଧାନର ବ୍ୟବସ୍ଥା ରହିଥିବା ବେଳେ ସରକାର କେଉଁ ଆଧାରରେ ଏଭଳି ନିଷ୍ପତି ନେଉଛନ୍ତି ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି ଯେ ମୋଦି ସରକାର ଏହାର ପୁନଃବିଚାର କରି ସ୍ୱଭାବିକ ଅବସ୍ଥା ଫେରି ନଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖନ୍ତୁ । ଆଗାମୀ ୬ମାସ ଯାଏଁ ସ୍କୁଲ, କଲେଜର ଫିସ୍ ଛାଡ଼ ଏବଂ କରୋନା ନିୟନ୍ତ୍ରିତ ନହେବା ପର୍ଯ୍ୟନ୍ତ ପରୀକ୍ଷା ନକରିବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ।