ଜେକେ କାଗଜ କଳରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ

  • ମୃତ ଶ୍ରମିକଙ୍କ ପରିବାରକୁ ମିଳିବ ୧୪ଲକ୍ଷ ଟଙ୍କାର କ୍ଷତିପୂରଣ

ରାୟଗଡା : ଜେକେ କାଗଜ କଳରେ ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦେଖା ଦେଇଥିଲା ଉତେଜନା । ତେବେ କମ୍ପାନୀ ଓ ଠିକାଦାରଙ୍କ ତରଫରୁ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ପରେ ସ୍ଥିତି ଶାନ୍ତ ପଡିଛି । ମୃତ ଶ୍ରମିକ ଜଣକ ହେଲେ ସାନଚାନ୍ଦିଲି ଗ୍ରାମର ମିଣିଆକା ତାମି । ଜେକେପୁର ସ୍ଥିତ ଜେକେ କାଗଜ କଳରେ ଠିକା ଶ୍ରମିକ ଭାବେ ସେ କେ.କେ.ଠକ୍କର ଠିକାଦାରଙ୍କ ସଂସ୍ଥାରେ ୬ନମ୍ବର ଚିପ୍ପରରେ କାର୍ଯ୍ୟରତ ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ଅନ୍ୟ ସହଯୋଗୀ ଶ୍ରମିକମାନେ ତାମିଙ୍କୁ ନିକଟସ୍ଥ ଡିସପେନ୍ସରୀକୁ ଚିକିତ୍ସା ନିମନ୍ତେ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶ୍ରମିକ ତାମିଙ୍କ ମୃତ୍ୟୁ ପରେ ମଧ୍ୟ ଠିକା ସଂସ୍ଥା ତଥା କମ୍ପାନୀ ପକ୍ଷରୁ ଦୀର୍ଘ ସମୟ ଧରି କୈାଣସି କ୍ଷତିପୂରଣ ଯୋଗାଇବା ପାଇଁ ପଦକ୍ଷେପ ତଥା ନିଷ୍ପତି ନିଆଯାଇ ନ ଥିବାରୁ  ମୃତକଙ୍କ ପରିବାର,ସଂପର୍କୀୟଙ୍କ ସହ ଚାନ୍ଦିଲି ଗ୍ରାମବାସୀ ଏବଂ ଆଦିବାସୀ ସେବକ ସଂଘ ପକ୍ଷରୁ ମୃତ ତାମିଙ୍କ ମର ଶରୀରକୁ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ରଖାଯାଇ କ୍ଷତିପୂରଣ ଦାବି କରାଯାଇଥିଲା । ଯାହାକୁ ନେଇ ଜେକେ କାଗଜ କଳ କର୍ତୁପକ୍ଷ,ଠିକା ସଂସ୍ଥା ମାଲିକ,ଜେକେ କାଗଜ କଳ ଠିକା ଶ୍ରମିକ ସଂଘ କାର୍ଯ୍ୟକର୍ତା ଏବଂ ଆଦିବାସୀ ସେବକ ସଂଘ ନେତୃବୃନ୍ଦଙ୍କ ମଧ୍ୟରେ ଦୀର୍ଘ ଘଂଟା ଧରି ଆଲୋଚନା କରାଯିବା ପରେ ୧୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ଏବଂ ତାଙ୍କ ପୁଅଝିଅକୁ ପାଠ ପଢିବାର ସୁବ୍ୟବସ୍ଥା ନିମେନ୍ତ ସ୍ଥିର ହୋଇଥିଲା । ଦୀର୍ଘ ସମୟ ଧରି କମ୍ପାନୀ ଗେଟ୍ ସମ୍ମୁଖରେ ଉତେଜନା ଲାଗି ରହିଥିବା ବେଳେ ଚାନ୍ଦିଲି ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ପୋଲିସ ନିୟୋଜିତ ରହି ସ୍ଥିତି ଉପରେ ନଜର ରଖାଯାଇଥିଲା । ଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ଜେକେ କାଗଜ କଳ କର୍ତୁପକ୍ଷ କୈାଣସି ପ୍ରକାର ଅବହେଳା ତଥା ଅଣଦେଖା କରି ନ ଥିବାରୁ କମ୍ପାନୀ କର୍ତୁପକ୍ଷଙ୍କୁ ଜେକେ କାଗଜ କଳ ଠିକା ଶ୍ରମିକ ସଂଘ ଓ ଆଦିବାସୀ ସେବକ ସଂଘ ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.

2 × 5 =