ଭୁବନେଶ୍ୱର: କୋଭିଡ-୧୯ ଆଜି ସାରା ବିଶ୍ୱପାଇଁ ଏକ ବଡ ସଙ୍କଟ ଭାବେ ଉଭା ହୋଇଛି । ଏହି ସଙ୍କଟ ଦ୍ୱାରା ଗରୀବ ଲୋକମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଘଡିସନ୍ଧି ସମୟକୁ ମୁକାବିଲା କରିବାପାଇଁ କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜ୍ୟ ସରକାର ପର୍ଯ୍ୟନ୍ତ ନାନା ପ୍ରକାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଗରୀବ ମାନଙ୍କ କଲ୍ୟାଣ ପାଇଁ ଗତ ମାର୍ଚ୍ଚମାସ ୨୭ ତାରିଖ ଦିନ ୨୨୦୦ କୋଟୀ ଟଙ୍କାର ପ୍ୟାକେଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେଥି ମଧ୍ୟରୁ ୩୩୦ କୋଟୀ ଟଙ୍କା ରାଜ୍ୟରେ ପଞ୍ଜିକୃତ ହୋଇଥିବା ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଘୋଷଣାରେ ପ୍ରକାଶ କରିଥିଲେ । ହେଲେ ଏହି ୧୫ ଶହ ଟଙ୍କା ସହାୟତା ଅର୍ଥ ପାଇବା ପାଇଁ ପଞ୍ଜିିକୃତ ନିର୍ମାଣ ଶ୍ରମିକମାନେ ପଂଚାୟତ କାର୍ଯ୍ୟାଳୟରୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଉଥଲେ ମଧ୍ୟ ମିଳୁ ନଥିବାର ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶ୍ୟାମାଖୁଂଟା ବ୍ଲକ୍ର ବାଉଁଶବିଲା ପଂଚାୟତ ଅଧୀନ ପଞ୍ଜିିକୃତ ନିର୍ମାଣ ଶ୍ରମିକ ସୁକାନ୍ତୀ ବେହେରା, ନନ୍ଦିନୀ ବେହେରା, ରତିକାନ୍ତ ବେହେରା ଓ ଅନ୍ୟ ଶ୍ରମିକ ମାନେ । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକଙ୍କ ସହିତ ଯୋଗାଯୋଗ କରିବାରେ, ଜିଲ୍ଲାରେ ପଞ୍ଜିିକୃତ ହୋଇଥିବା ପ୍ରାୟ ଏକଲକ୍ଷ ପାଂଚ ହଜାରରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ଅଛନ୍ତି । ସେଥିରୁ ଏକ୍ଟିଭ୍ ଥିବା ୭୮ ହଜାର ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ପାଖାପାଖି ୬୮ ହଜାର ଶ୍ରମିକଙ୍କୁ ସହାୟତା ରାଶି ବର୍ତମାନ ସୁଦ୍ଧା ପ୍ରଦାନ କରାଯାଇ ସାରିଛି । ବାକି ଥିବା ଶ୍ରମିକ ମାନଙ୍କୁ ଏହି ଅଗଷ୍ଟମାସ ଶେଷ ଶୁଦ୍ଧା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ହେଲେ ଏଠାରେ ସୂଚନା ଯୋଗ୍ୟଯେ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଉପଖଣ୍ଡରେ ସହକାରୀ ଶ୍ରମ ଅଧିକାରୀ ନାହାନ୍ତି ଏବଂ ପ୍ରତି ବ୍ଲକ୍ ପାଇଁ ଜଣେ ଲେଖାଏଁ ରୁରାଲ ଲେବର ଇନ୍ସପେକ୍ଟର ରହିବା କଥା । ହେଲେ ଜିଲ୍ଲାର ୨୬ ଗୋଟି ଯାକ ବ୍ଲକ୍ରେ ଏହି ଅଧିକାରୀ ମଧ୍ୟ ନାହାନ୍ତି । ପୁଣି ଜଣେ ଶ୍ରମିକ ପ୍ରତିବର୍ଷ ନିଜର ପଞ୍ଜିିକରଣକୁ ରିନ୍ୟୁ କରିବାର ନିୟମ ଅଛି । ଯଦି କେହି ଲଗାତାର ୩ ବର୍ଷ ନବୀ କରଣ ନକରିବେ ତେବେ ତାଙ୍କ ପଞ୍ଜିକରଣ କଟିଯିବ । ପୁଣି କରୋନା କଟକଣା ମଧ୍ୟରେ ନବୀକରଣ କରିନଥିବା ଶ୍ରମିକମାନେ ଅର୍ଥ ପାଇବାରୁ ବଂଚିତ ହେବା ସ୍ୱାଭାବିକ କଥା । ତେବେ ସରକାରଙ୍କ ଏହି ସହାୟତା ଘୋଷଣା କେତେଦୂର ସଫଳହେବ ସେଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।