ଟାଟା ଷ୍ଟିଲ ଫାଉଣ୍ଡେସନ ର 3 ଟି ଲୋକାଭିମୁଖୀ ପ୍ରକଳ୍ପ ବିଧାୟିକା ଙ୍କ ଦ୍ଵାରା ଉଦଘାଟିତ

 ସୁନା ନଦୀ କୂଳରେ ପଥର ବନ୍ଧ ର ଶିଳାନ୍ୟାସ

ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ତିନୋଟି ୱାର୍ଡରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ଵାରା ନିର୍ମିତ ତିନିଗୋଟି ଜନହିତକର ପ୍ରକଳ୍ପ କୁ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ବୁଧବାର ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି I ସ୍ଥାନୀୟ ବସଷ୍ଟାଣ୍ଡ (ୱାର୍ଡ ନଂ 7) ରେ ବହୁ ଦିନରୁ ଦାବି ହୋଇ ଆସୁଥିବା ଏକ ନବ ନିର୍ମିତ ଯାତ୍ରୀ ପ୍ରତୀକ୍ଷାଳୟ ଲୋକାର୍ପିତ ହୋଇଯାଇଛି I ସେହିପରିଭାବେ, ୱାର୍ଡ ନଂ 13 ଅନ୍ତର୍ଗତ ବାଂଶପାଣି ବସ୍ତି ରେ ଏକ କମ୍ୟୁନିଟି ସେଣ୍ଟର ଏବଂ ଖୁଣ୍ଟପାଣି ମୁଣ୍ଡା ବସ୍ତି ରେ ଏକ ଶୌଚାଳୟ ଉଦଘାଟନ କରାଯାଇଛି Iଏଥିସହିତ,ୱାର୍ଡ ନଂ 4 ଅନ୍ତର୍ଗତ ସୁନା ନଦୀ କୂଳରେ ଏକ ପଥରବନ୍ଧ ର ଶିଳାନ୍ୟାସ କରାଯାଇଛି ଏହିକାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତ ଙ୍କ ସହ ଡଃ ଜଗଦୀଶ ପ୍ରସାଦ ସାହୁ, ଅଧ୍ୟକ୍ଷ, ଯୋଡା ପୌରପାଳିକା, ସରୋଜ କୁମାର ବାନାର୍ଜୀ, ମୁଖ୍ୟ, ଟାଟା ଷ୍ଟିଲ, ଯୋଡା, ସମସ୍ତ ୱାର୍ଡ଼ର କାଉନସିଲର ଏବଂ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I ନିଜ ସମ୍ଭାଷଣ ରେ ଶ୍ରୀମତୀ ମହାନ୍ତ କହିଲେ, “ଟିଏସଏଫ ର ଏହି କାର୍ଯ୍ୟଗୁଡ଼ିକ ବାସ୍ତବିକ ଲୋକାଭିମୁଖୀ ଏବଂ ଏହାଦ୍ଵାରା ବହୁ ଲୋକ ଉପକୃତ ହୋଇ ପାରିବେ I ଭବିଷ୍ୟତରେ ଏଭଳି ଆହୁରି ଅନେକ ପ୍ରକଳ୍ପ କୁ ଟିଏସ୍ଏଫ୍ ହାତକୁ ନେବ ବୋଲି ମୋର ବିଶ୍ବାସ I” ଏହି  ପ୍ରକଳ୍ପ ଗୁଡ଼ିକ ପାଇଁ ସ୍ଥାନୀୟ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି I ବିଶେଷକରି, ସୁନା ନଦୀ କୂଳରେ ଏକ ପଥରବନ୍ଧର ବହୁତ ଆବଶ୍ୟକତା ଥିଲା I ବର୍ଷାଦିନେ ନଦୀରେ ଅଧିକ ପାଣି ଆସି ଜନବସତିରେ ପଶୁ ଥିବାରୁ, ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଏହି ପଥରବନ୍ଧ ଯୋଗୁଁ ଏକ ମୁଖ୍ୟ ସମସ୍ୟା ଦୂର ହେବ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି I

Leave A Reply

Your email address will not be published.

1 × five =