ଟେଲିମେଡିସିନ୍ ସେବା ମିଳିବ ୬ଶହ ପିଏଚ୍ସିରେ

ଭୁବନେଶ୍ୱର: ରାଜ୍ୟର ୬ଶହ ପିଏଚ୍ସରେ ମିଳିବ ଟେଲିମେଡିସିନ୍ ସେବା ତୃଣମୂଳସ୍ତରରେ ଲୋକମାନଙ୍କୁ ରୋଗୀ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି । ଯାହାଫଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଟିଏ ପହଂଚି ମେଡିକାଲ କଲେଜରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଭିଡିଓ-ଅଡିଓ ଜରିଆରେ ନିଜର ଚିକିତ୍ସା କରିପାରିବ । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କାରି ରହିଥିବା ସୂଚନା ମିଳିଛି । କରୋନା ପାଇଁ ଏବେ ରାଜ୍ୟ ଦରକାରଙ୍କ ପକ୍ଷରୁ ହସ୍ପିଟାଲରେ ଟେଲିମେଡିସିନ୍ ସେବା ଆରମ୍ଭ ହୋଇଛି । ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମେଡିକାଲ କଲେଜରେ ଏହି ସୁବିଧା ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଓପିଡି (ବହିର୍ବିଭାଗ) ସମୟରେ ଏହି ସୁବିଧା ଦିଆଯାଉଥିବା ବେଳେ ମେଡିକାଲ କଲେଜରେ ୨୪ ଘଂଟାଆ ସେବା ଦିଆଯାଉଛି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟେଲିମେଡିସିନ୍ ସେଂଟରକୁ ଦିନକୁ ୫୦ରୁ ଅଧିକ କଲ୍ ଆସୁଥିବା ବେଳେ ମେଡିକାଲ କଲେଜରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ସରକାରଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଦୁଇଟି ନମ୍ବର କାରି ହୋଇଛି । ରୋଗୀମାନେ ଏହି ନମ୍ବରକୁ ଫୋନ୍ କରି ଡାକ୍ତରଙ୍କ ସହିତ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିପାରିବେ । ଏଥିପାଇଁ ସ୍ୱାସ୍ଥ୍ୟନୁଷ୍ଠାନ ଗୁଡ଼ିକୁ ୨ଟି ଲେଖାଏଁ ମୋବାଇଲ ହ୍ୟାଣ୍ଡସେଟ୍ ଦିଆଯାଇଛି । ତେବେ ରୋଗୀଟିଏ ଡାକ୍ତରଙ୍କୁ ନିଜ ରୋଗ ସମ୍ବନ୍ଧରେ ଜଣାଇବା ପରେ ଡାକ୍ତର କେଉଁ ଔଷଧ ଖାଇବାକୁ ହେବ ତାହା ପ୍ରେସକ୍ରାଇନ୍ କରୁଛନ୍ତି । ତେବେ ପ୍ରେସକ୍ରିପସନ୍ ନ ଥିବାରୁ ଅନେକ ସମୟରେ ରୋଗୀଙ୍କୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲର ଟେଲିମେଡିସନ୍କୁ ଫୋନ୍ କରି ଜଣେ ରୋଗୀ । ନିଜ ସମସ୍ୟା କହିଥିଲେ । ଡାକ୍ତରଙ୍କୁ ପକ୍ଷରୁ ତାଙ୍କୁ ଯେଉଁ ଔଷଧ ଖାଇବା ପାଇଁ କୁହାଯାଇଥିଲା । ତାହାକୁ ଔଷଧ ଦୋକାନୀ ଦେଇ ନ ଥିଲେ । ସଂପୃକ୍ତ ଔଷଧ ପାଇଁ ସାଧାରଣ କଟକଣା ଥିବାରୁ ଦୋକାନୀ ତାହାକୁ ଦେଇ ନ ଥିଲେ । ଏକାଧିକ ଔଷଧ ଦୋକାନୀ ରୋଗୀଙ୍କୁ ସଂପୃକ୍ତ ଔଷଧ ଦେଇ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟେଲିମେଡିସନ୍ ସମ୍ବନ୍ଧରେ ଲୋକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଟେଲିମେଡିସିନ୍ ପାଇଁ ସ୍ୱତନ୍ତ୍ର ଭାବେ ଏସ୍ଓପି ଜାରି ହୋଇଛି । ଯେଉଁ ରୋଗ ଅତି ସାଧାରଣ ତାହାକୁ ଜଣେ ଫୋନ୍ ଜରିଆରେ ସୂଚନା ଦେଇପାରିବେ । ମାତ୍ର ଜରୁରୀ ଓ ଜଟିଳ ରୋଗ ପାଇଁ ସଂପୃକ୍ତ ରୋଗୀଙ୍କୁ ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ସଂପୃକ୍ତ ରୋଗୀଙ୍କୁ ଉପଦେଶ ଦିଆଯାଉଛି । ଯଦିଓ ଚିକିତ୍ସାଳୟ ଗୁଡିକରେ ଅଡିଓ-ଭିଡିଓ ସୁବିଧା ରହିଛି, ମାତ୍ର କରୋନା ସଂକ୍ରମଣ ବଢ଼ୁଥିବାରୁ ରୋଗୀମାନଙ୍କୁ ଟେଲିଫୋନ୍ ଜରିଆରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏକ ଆପ୍ ପ୍ରସ୍ତୁତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ଇ-ସଂଜୀବନୀ ସହାୟତାରେ ତୃଣମୂଳସ୍ତରରେ ଟେଲିମେଡିସିନ୍ ସେବା ପହଂଚିବାକୁ ଯୋଜନା ହୋଇଛି । ଓଡ଼ିଶା ଓ ହିମାଚଳ ପ୍ରଦେଶରେ ପାଇଲଟ୍ ପ୍ରକଳ୍ପରେ ଏହା ଆରମ୍ଭ ହେବାକୁ ଯାଉଛି । ପିଏଚ୍ସି/ସିଏଚ୍ସିକୁ ରୋଗୀଟିଏ ଆସି ଅଡିଓ-ଭିଡିଓ ସହାୟତାରେ ମେଡିକାଲ ଜଲେଜର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଆଲୋଚନା କରିପାରିବ । ଏଥିପାଇଁ ନେଟୱାର୍କିଂ କରିବାକୁ ହେବ । ଟେଲିମେଡିସିନ୍ ପାଇଁ କାର୍ଯ୍ୟ ଆଗେଇ ସାରିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nineteen − 1 =