ଟ୍ରେନ ତଳେ ଗଳୁଥିବା ବେଳେ କଟିଗଲେ ପ୍ରେମିକା, ଗୋଡ ହାତ ହରାଇଲେ ପ୍ରେମିକ


ବାମରା: ମାସେ ବା ଦୁଇ ମାସ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଏକାଠି ରହୁଥିଲେ ପ୍ରେମିକ ରୋଶନ ଓ ପ୍ରେମିକା ସୋଫିୟା । ଉଭୟଙ୍କ ପରିବାର ରାଜି ହେଲା ପରେ ଯାଇ ବାହା ହେବେ ବୋଲି ଅପେକ୍ଷା କରିଥିଲେ । କିନ୍ତୁ ସେ ସ୍ୱପ୍ନ ଦିନ ପାଇଁ ସ୍ୱପ୍ନ ହୋଇ ରହିଗଲା । ଟ୍ରେନରେ କଟି ପ୍ରେମିକାର ମୃତୁ୍ୟ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଗୋଡ ହାତ ହରାଇଥିବା ପ୍ରେମିକ ଏବେ ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ବାଗଡିହି ରେଳ ଷ୍ଟେସନରେ ଘଟିଛି । ଜଣେ ଯୁବତୀ ମାଲଗାଡି ତଳେ ଗଳି ପ୍ରାଣ ରେଳଧାରଣା ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ କଟି ପ୍ରାଣ ହରାଇଛନ୍ତି । ତାଙ୍କ ପ୍ରେମିକ ତାଙ୍କୁ ବଂଚାଇବାକୁ ଚେଷ୍ଟା କରି ନିଜର ଗୋଡ ଓ ହାତ ହରାଇଛନ୍ତି । ଯୁବକ ଜଣକ ଗୁରୁତର ଅବସ୍ଥାରେ ଏବେ ବୁର୍ଲା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବ୍ରଜରାଜନଗରର ନୂଆପଡା ଅଂଚଳର ରୋଶନ ମହାନନ୍ଦ(୨୦), ପାଖ ଟିନାପଡାର ତାଙ୍କ ପ୍ରେମିକା ସୋଫିୟା ଛତ୍ରିଆ (୧୯) ଓ ୩ ଜଣ ଘର ଲୋକଙ୍କ ସହିତ ତିନି ଦିନ ତଳେ ବାଗଡିହି ବୁଡ଼ାପଡ଼ାକୁ ବୁଲିବାକୁ ଆସିଥିଲେ । ସେମାନେ ରବିବାର ସକାଳେ ରାଉରକେଲା-ଝାରସୁଗୁଡ଼ା ମେମୁ ପ୍ୟାସେଞ୍ଜର ଟ୍ରେନରେ ଘରକୁ ଫେରିବା ପାଇଁ ବାଗଡିହି ରେଳଷ୍ଟେସନକୁ ଆସୁଥିଲେ । ସେତେବେଳେ ଷ୍ଟେସନରେ ଏକ ମାଲଗାଡ଼ି ଠିଆ ହୋଇଥିବାରୁ ସେମାନେ ତା’ତଳେ ଗଳି ପ୍ଲାଟଫର୍ମକୁ ଯିବାକୁ ଚିନ୍ତା କରିଥିଲେ । ରୋଶନ, ତାଙ୍କ ମାଁ ସତ୍ୟବତୀ, ଭଉଣୀ ଭାନୀ ଓ ରାନୀ ଜଣ ଜଣ କରି ସୁରକ୍ଷିତ ଅବସ୍ଥାରେ ଟ୍ରେନ ତଳୁ ଗଳି ସାରିଥିଲେ । କିନ୍ତୁ ସୋଫିଆ ଟ୍ରେନ ତଳେ ଗଳୁଥିବା ବେଳେ ଟ୍ରେନ ହଠାତ୍ ଗଡିବା ଆରମ୍ଭ କରିଥିଲା । ସୋଫିଆ ଉପରେ ଟ୍ରେନ ମାଡି ଯାଉଥିବା ଦେଖି ପ୍ରେମିକ ରୋଶନ ତାଙ୍କୁ ଟ୍ରେନ ତଳୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଉଦ୍ୟମ ନିଷ୍ଫଳ ହୋଇଥିଲା । ସେମାନଙ୍କ ଆଖି ଆଗରେ ସୋଫୟାଙ୍କ ଶରୀର ଟ୍ରେନ ଚକାରେ କଟି ଦୁଇ ଖଣ୍ଡ ହୋଇ ଯାଇଥିଲା । ତାଙ୍କୁ ଚଳନ୍ତା ଟ୍ରେନ ତଳୁ ଟାଣି ଆଣିବାକୁ ଚେଷ୍ଟା କରୁଥିବା ରୋଶନଙ୍କ ଡାହାଣ ହାତ ଓ ଗୋଡ ମଧ୍ୟ ଟ୍ରେନରେ କଟି ଯାଇଥିଲା । ତାଙ୍କ ପେଟ ଫାଟି ଅନ୍ତବୁଜୁଳା ବାହାରି ପଡିଥିଲା । ଘଟଣା ସ୍ଥଳରେ ସୋଫିୟାଙ୍କ ମୃତୁ୍ୟ ହୋଇ ଯାଇଥିବା ବେଳେ ଗୁରୁତର ଆହତ ରୋଶନଙ୍କୁ ପ୍ରଥମେ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । । ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଝାରସୁଗୁଡା ଜିଆରପି ଥାନା ଅଧିକାରୀ ସୌଦାମିନୀ ନାଗ, ଏସଆଇ ଜ୍ୟୋସ୍ନା ସେଠ, ଘନଶ୍ୟାମ କମଳ, ଆରପିଏଫ ଏସଆଇ କୁନା ବାରିକ ଓ ମୋହନ ସିଂ ଘଟଣା ସ୍ଥଳରେ ପହଂଚି ଆବଶ୍ୟକ ତଦନ୍ତ କରିଥିଲେ । ଏହି ଘଟଣାରେ ରେଳବାଇ ଥାନାରେ ୪୩/୨୦ ନମ୍ବର ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ରୋଶନ ୨ ବର୍ଷ ତଳୁ ସୋଫିଆଙ୍କୁ ନିଜ ଘରକୁ ଆଣି ଆସିଛନ୍ତି । ରୋଶନଙ୍କ ପରିବାର ସୋଫିଆଙ୍କୁ ଗ୍ରହଣ କରି ନିଜ ଘରେ ରଖିଥିବା ବେଳେ ସୋଫିଆଙ୍କ ପରିବାର ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ । ତେବେ ଯେଉଁ ଦିନ ଦୁଇ ପରିବାର ଖୁସିରେ ରାଜି ହୋଇ ସେମାନେ ବାହା ହେବେ ବୋଲି ନିଷ୍ପତି ନେବେ ସେ ଦିନକୁ ଅପେକ୍ଷା କରିଥିଲେ ପ୍ରେମୀ ଯୁଗଳ । କିନ୍ତୁ ତା’ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୋଫିୟାଙ୍କ ବାପା କୃଷ୍ଣ ଛତ୍ରିଆ ଏହି ଦୁଃଖନ ଖବର ପାଇ ବାଗଡିହି ଷ୍ଟେସନକୁ ଆସିଥିଲେ । ବ୍ୟବଚ୍ଛେଦ ପରେ ସୋଫୟାଙ୍କ ଶବ ତାଙ୍କୁ ହସ୍ତାନ୍ତର କରାଯାଇଛି । ରୋଶନ ତାଙ୍କ ପରିବାରର ଏକ ମାତ୍ର ପୁଅ ହୋଇଥିବା ବେଳେ ସୋଫିଆ ତାଙ୍କ ଘରର ଏକ ମାତ୍ର ଝିଅ ହୋଇଥିବାରୁ ଏହା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.

fifteen − 2 =