ରାୟଗଡ଼ା: ବିଏସ୍ଏନ୍ଏଲ୍ ସେବା ଅପହଂଚ ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ୍ ଟାୱାର୍ ଫଳରେ, ନିୟମଗିରିକୁ ପହଂଚି ପାରିନି ମୋବାଇଲ୍ ସେବା ।
କୌଣସି ଗାଁ ତ ଦୂରର କଥା ପାହାଡ଼, ଡଙ୍ଗର ବଢ଼ିଲେ ବି ଆସୁନି ନେଟୱର୍କ । ଫଳରେ ଅନଲାଇନ୍ ପାଠପଢ଼ା ପାଇଁ ନିୟମଗିରିରୁ ୧୭ କିମି ତଳକୁ ଓହ୍ଲାଉଛନ୍ତି ଡଙ୍ଗରିଆ । ଶତାଧିକ ଡଙ୍ଗରିଆ ଛାତ୍ରରଛାତ୍ରୀ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବେଳେ ପ୍ରତିଦିନ ନେଟୱର୍କ ଥିବା ଅଂଚଳକୁ ଆସି ପଢ଼ା ସାରି ପୁଣି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ନିୟମଗିରି ପାହାଡ ଉପରେ ଥିବା ୧୫ଟି ରାଜସ୍ୱ ଗ୍ରାମ, ୮ଟି ହାମଲେଟର ଶହେରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ରାୟଗଡ଼ା, ମୁନିଗୁଡ଼ା, ବିଷମକଟକ, ଜେକେପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି । କିଛି ଛାତ୍ରଛତ୍ରୀ ଭୁବନେଶ୍ୱରରେ ମଧ୍ୟ ଅଧ୍ୟୟନ କରୁଛନ୍ତି । ପଂଚମରୁ ଆରମ୍ଭ କରି ଦଶମ, ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିଛନ୍ତି । ହେଲେ, ଏମାନଙ୍କ ପାଠପଢ଼ାରେ ବାଧକ ସାଜିଛି ନେଟୱର୍କ । ଗାଁକୁ ନେଟୱର୍କ ଆସୁ ନ ଥିବାରୁ ୧୭ କିମି ଦୂର ଚାଟିକଣାକୁ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡ଼ୁଛି ।
ଲକଡାଉନ୍ ଚାଲିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଯେଉଁଥିପାଇଁ ଦୈନିକ କୁର୍ଲି, ଖମ୍ବେସି, ଖଜୁରୀ, ଡାଙ୍ଗଲୋଡ଼ି, ହୁଣ୍ଡିଜାଲି, କାଡ୍ରାଗୁମ୍ମା, ଗର୍ତଲି, ମୁଣ୍ଡାବାଲି ଭଳି ଦୁର୍ଗମ ଇଲାକାରୁ ଛାତ୍ରଛାତ୍ରୀ ଏତେ ଦୂର ଆସିବା ସମ୍ଭବପର ହେଉନି । ଅନ୍ୟପକ୍ଷରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍ ମଧ୍ୟ ନାହିଁ । ଦରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିବା ଏସବୁ ପରିବାର ମୋବଇଲ୍ କିଣିବା ପାଇଁ ସକ୍ଷମ ନ ଥିବା ବେଳେ କିଛି ପରିବାର ଇଚ୍ଛା ଥିବା ସତ୍ୱେ ନେଟୱର୍କ ନ ଥିବାରୁ ମୋବାଇଲ୍ କିଣି ନାହାନ୍ତି । ଖମ୍ବେସି ଗାଁର ରାଧମା ୱାଡ଼କା । ରାୟଗଡ଼ା ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନଲାଇନ୍ରେ କ୍ଲାସ୍ ହେଉଛି । ହେଲେ ନେଟୱର୍କ ନ ଥିବାରୁ ଏହି ସମୟ ମଧ୍ୟରେ ପଢ଼ା ଯାଇଥିବା ପାଠ ସଂପର୍କରେ କିଛି ବି ଜାଣିପାରି ନାହାାନ୍ତି । ରାଧମା । ଘରେ ବସି ଯାହା ପଢ଼ୁଛନ୍ତି । ଦୈନିକ ଚାଟିକଣା ଆସି ପଢ଼ିବା ସମ୍ଭବ ହେଉ ନ ଥିବାରୁ ସେ ନିରୁପାୟ । ସେହିପରି ଚାଟିକଣା ଆମ୍ବେଦକର ସ୍ମୃତି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଗାୟତ୍ରୀ ୱାଡ଼କା, ପାର୍ବତୀପୁରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୀତାଞ୍ଜଳି କାଡ୍ରକା, ମୁନିଗୁଡ଼ା ରାମକ୍ରିଷ୍ଣା ମିଶନରେ ପଢ଼ୁଥିବା କୁଶ ୱାଡ଼କା ଏପରରି ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ଅବସ୍ଥା କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନରେ ଚାଲିଛି ପାଠପଢ଼ା ହେଲେ ବିଷମକଟକ ବ୍ଲକ୍ କୁର୍ଲି ପଂଚାୟତର ୨୩ଟି ଗ୍ରାମରେ ମୋବାଇଲ୍ ସେବା ନ ଥିବାରୁ ପାଠପଢ଼ାରୁ ବଂଚିତ ହେଉଛନ୍ତି ଏହି ଡଙ୍ଗରିଆ ଛାତ୍ରଛାତ୍ରୀ ।