ଡାକ୍ତରଖାନା ଫେରାଇଦେଲା, ରାସ୍ତା ଉପରେ ପ୍ରସବ କଲେ ମହିଳା


କେନ୍ଦୁଝର: ଯୋଡା ଖଣି ଅଞ୍ଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହେବାରେ ଲାଗିଛି । ଖଣି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଜିଲ୍ଲା ଖଣିଜ ପାଣ୍ଠୀରୁ ଯୋଗାଇ ଦେଉଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଯୋଡାସ୍ଥିତ କମାରଯୋଡା ଠାରେ ଥିବା ୩୦ ସଜ୍ୟା ବିଶିଷ୍ଠ ସରକାରୀ ଡାକ୍ତରଖାନା ପୁନଃକାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଯୋଡା ବାସୀଙ୍କ ମନରେ ଗଭିର ଉଦ୍ବେଗ ସୃଷ୍ଟି କରିଛି । ଯୋଡା ବ୍ଲକ ଅନ୍ତର୍ଗତ ଜଲହରି ପଞ୍ଚାୟତ ଆଇ.ଟି.ସି. କଲୋନୀର ସୁକୁମଣି ପୂର୍ତ୍ତି ନାମକ ଜଣେ ପ୍ରସୂତି ମହିଳା କମାରଯୋଡା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସୋମବାର ଅପରାହ୍ନ ୨ଟା ସମୟରେ ପହଞ୍ଚିଥିଲେ । ତାଙ୍କର ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହେବାରୁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିଶିରା ପଟ୍ଟନାୟକ ତାଙ୍କୁ ଅପରେସନ କରିବାକୁ ପଡିବ ବୋଲି କହିଥିଲେ । କିନ୍ତୁ ସେଠାରେ ଅପରେସନର ବ୍ୟବସ୍ଥା ନଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଚମ୍ପୁଆସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ପ୍ରସୂତିଙ୍କ ଶାଶୁ ଘାସ ନାଏକ ଏବଂ ତାଙ୍କ ସ୍ୱାମୀ କପିଳାସ ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରସୂତିକୁ ଯୋଡାସ୍ଥିତ ଟାଟା କମ୍ପାନୀଙ୍କ ଡାକ୍ତରଖାନାକୁ ନେଇଯିବା ପାଇଁ ଚାହିଁଥିଲେ । ସୋମବାର ରାତି ପ୍ରାୟ ସାଢେ ୮ଟା ସମୟରେ ସେମାନେ ଟାଟା କମ୍ପାନୀ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଚିକିତ୍ସା କରାନଯାଇ ତାଙ୍କୁ ଡାକ୍ତର ନଥିବା କହି ଫେରାଇଦିଆଯାଇଥିଲା । ଏପରିକି ତାଙ୍କୁ ଆମ୍ବୁଲାନ୍ସଟିକିଏ ମଧ୍ୟ ଯୋଗାଇଦିଆଯାଇନଥିଲା । ଫଳରେ ପ୍ରସୂତିଙ୍କ ଶାଶୁ ଏବଂ ସ୍ୱାମୀ ୨ଜଣଙ୍କ କାନ୍ଧରେ ଭରାଦେଇ ସେ ଚାଲି ଚାଲି ୪ କିମି ଦୂରରେ ଥିବା ସରକାରୀ ଡାକ୍ତରଖାନାକୁ ଫେରିଯାଉଥିଲେ । ତେବେ ମଙ୍ଗଳା ମନ୍ଦିର ନିକଟ ରାସ୍ତାରେ ସେ ଏକ ଶିଶୁ ପୂତ୍ରକୁ ଜନ୍ମଦେଇଥିଲେ । ଶିଶୁ ପୁତ୍ରଟି ଜନ୍ମ ହେବାର କିଛି ସମୟ ପରେ ମୃତୁ୍ୟ ଘଟିଥିଲା । ଏହି ସମୟରେ ମା, ବାପା ଏବଂ ଶାଶୁଙ୍କର କ୍ରନ୍ଦନ ଚିକ୍ରାରରେ ସେ ଅଞ୍ଚଳ ସ୍ତବ୍ଦ ହୋଇପଡିଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ମା ଏବଂ ଶିଶୁ ତଳେ ପଡି ମା ଛଟପଟ ହେଉଥିବା ବେଳେ ଶିଶୁ ପୁତ୍ରର ସଂଯୋଗ ମା ସହିତ ଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଏବେ ମା ସୁସ୍ଥ ହୋଇ ନିଜ ଘରକୁ ଚାଲି ଯାଇଥିବା ବେଳେ ଏହି ଘଟଣାଟି ବୁଦ୍ଧୀଜୀବୀ ମହଲରେ ଗଭିର ରେଖାପାତ କରିଥିଲା । ଟାଟା ଭଳି ଏକ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । ଏହି ଅଞ୍ଚଳରେ କମ୍ପାନୀ ୨ଟି କାରାଖାନା, ୭ଟି ଖଣି ପ୍ରତିÂା କରି କୋଟି କୋଟି ଟଙ୍କା ମୁନାଫା କରୁଥିବା ବେଳେ କମ୍ପାନୀ ସର୍ବଦା ସାମାଜିକ ଦାୟିତ୍ୱ ନିର୍ବାହ କରି ଆସୁଥିବା ଡିନଡିମ ପିଟିଥାଏ ଯାହା ଏହି ଘଟଣାଟିରୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ପରିଚାଳନା ଗତ ତୃଟି ଯୋଗୁଁ ଏହି ଡାକ୍ତରଖାନାରୁ ୭ଜଣ ଡାକ୍ତର ଇସ୍ତଫା ଦେଇ ଚାଲିଯାଇଥିବା ବେଳେ ଅନ୍ୟ କେତେକ କୋଭିଡ ସଂକ୍ରମିତ ଥିବା ଜଣାପଡିଛି । ଫଳରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି । ଏ ସଂକ୍ରାନ୍ତରେ ଡାକ୍ତରଖାନାର ମୁଖ୍ୟ ପରିଚାଳକ ଏମ୍.କେ. ତ୍ରିପାଠୀଙ୍କୁ ପଚାରିବାରୁ ସେ ପ୍ରସୂତି ଜଣଙ୍କ ଡାକ୍ତରଖାନାକୁ ଆସିବା ପରେ ତାଙ୍କର କୋଭିଡ ଟେଷ୍ଟ କରାଯିବା ଫଳରେ ସେ ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ତାଙ୍କର ଉପଯୁକ୍ତ ଚିକିତ୍ସା ନକରି ଡାକ୍ତରଖାନାରୁ ତାଙ୍କୁ ପଳେଇଯିବାକୁ କିଏ ପରାମର୍ଶ ଦେଇଥିଲେ ସେ ନେଇ ତଦନ୍ତ ପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଥିଲେ । କମ୍ପାନୀର ଜଣେ ଅଧିକାରୀ ଆଶିଶ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ପ୍ରସୂତି ବିଭାଗରେ ୨ ଜଣ ଡାକ୍ତର ଥିବା ବେଳେ ଜଣେ ସଂଘରୋଧରେ ଓ ଅନ୍ୟ ଜଣେ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିବା ଯୋଗୁଁ ପ୍ରସୂତି ଜଣଙ୍କୁ ଫେରାଇଦିଆଯାଇଥିଲା । କମ୍ପାନୀ ଖଣି ଅଞ୍ଚଳରେ ତାଙ୍କର ସାମାଜିକ ଦାୟୁତ୍ୱ ନିର୍ବାହ କରିବାରେ ଅଙ୍ଗିକାରବଦ୍ଧ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × one =