ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ନିରାକରଣ ନେଇ ବୈଠକ

ଚମ୍ପୁଆ, ୨୩.୬(ନି.ପ୍ର.): ବଡ଼ବିଲ ପୌରପାଳିକା ଅଂଚଳରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ମହାମାରୀ କରୋନା (କୋଭିଡ୍-୧୯) ନିରାକରଣ ସମ୍ପର୍କିତ ଏକ ବୈଠକ ପୌରପାଳିକା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେର. କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ମେଡିକାଲ ଅଫିସର ଡାକ୍ତର ଫକୀର ମୋହନ ନାଏକ ଏବଂ ଡା. ସୌଭାଗ୍ୟ ରଂଜନ ସାମଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ କମ୍ପାନୀର କର୍ମକର୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ, ଆଗକୁ ବର୍ଷା ଦିନ ଆସୁଛି ତେଣୁ ଏବେଠାରୁ ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତି ସତର୍କ ରହିବା ସହ ପରିମଳ ଓ ନାଳ ନର୍ଦ୍ଧମା ସଫାସୁତୁରା କରି ମଶା ଧୂଆଁ, ବ୍ଲିଚିଂ ପାଉଡର୍ ପକାଇବାକୁ ନିର୍ଦେଶ ଦେଇଥିଲେ । ଏହାସହ ବର୍ଷା ଦିନରେ ଖଣି ଓ ଶିଳ୍ପ ସଂସ୍ଥା ନିଜର କର୍ମଚାରୀ କଲୋନିଗୁଡ଼ିକୁ ସଫା କରିବା ଏବଂ କୌଣସି ସ୍ଥାନରେ ପାଣି ଜମିବାକୁ ନ ଦେବାକୁ ପରାମର୍ଶ ଦେଇଥିଲେ । ଖୁବଶୀଘ୍ର ଘରକୁ ଘର ବୁଲି ଅଙ୍ଗନୱାଡ଼ି କର୍ମୀମାନେ ସ୍ୱାସ୍ଥ୍ୟ ସର୍ବେକ୍ଷଣ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

Leave A Reply

Your email address will not be published.

three × five =